ହରଭଙ୍ଗା ୨୪/୦୫: ରାଜ୍ୟ ପୂର୍ତ୍ତ ବିଭାଗ କନ୍ଧମାଳ ସର୍କଲର ମୁଖ୍ୟ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଯାହାମଧ୍ୟରେ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଫୁଲବାଣୀ -ଟିକରପଡ଼ା ରାସ୍ତା, ୨ କୋଟି ବ୍ୟୟ ଅଟକଳର ହରଭଙ୍ଗା -ଛତ୍ରଙ୍ଗ ରାସ୍ତା ଏବଂ ମେଂଢ଼ୀମାଳ ଠାରୁ ବାରକୋଡ଼ ରାସ୍ତାର ତଦାରଖ ଓ ପରିଦର୍ଶନ କରିଥିଲେ। ବହୁ ପ୍ରତିକ୍ଷୀତ ବାଉଁସୁଣୀ-ବିରମହାରାଜପୁର ମହାନଦୀ ସେତୁ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ। ୧୦୫ କୋଟି ବ୍ୟୟ ବରାଦରେ ତିଆରି ଏହି ବାଉଁଶୁଣି-ବୀରମହାରାଜପୁର ରାସ୍ତାର ଦର୍ଘ୍ୟ ୧୬୫୦ ମିଟର ହୋଇଥିବା ବେଳେ ୪୪ଟି ପିଲରରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ମୁଖ୍ୟ ଯନ୍ତ୍ରୀ ଇଂ ଦାସ ଏକ ସମୀକ୍ଷା କରିଥିଲେ। ଏହି ସମୀକ୍ଷାରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ଛୁଆଳସିଂ ପ୍ରକଳ୍ପର କାର୍ଯକାରିତା ଓ ଅଗ୍ରଗତି ଉପରେ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତି କରାଇଥିଲେ। ଏହି ସମୀକ୍ଷା ବୈଠକରେ ସବୁ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟଯନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟର ମାନ ଠିକ ରଖି କାର୍ଯ୍ୟକୁ ଠିକ ସମୟ ମଧ୍ୟରେ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଠିକା ସଂସ୍ଥାକୁ ନିର୍ଦ୍ଧେଶ ଦେଇଥିଲେ।
ଏହି ସେତୁ ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା କୁ ସଂଯୋଗ ସହଜ ହେବା ସହ ଅର୍ଥନୀତି ଓ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ନିଜର ମତ ରଖିଥିଲେ। ପ୍ରକାଶ ଥାଉ କି ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ ଓ ବିଭିନ୍ନ ବିଭାଗର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ।