ଭୁବନେଶ୍ୱର,୨୯/୦୭: ରାଜ୍ୟରେ ବନ୍ୟାଜଳ ହ୍ରାସ  ପାଇଛି । ହେଲେ ଯନ୍ତ୍ରଣା କମିନି । ଅଧିକାଂଶ ସ୍ଥାନରୁ ପାଣି  ଛାଡ଼ିଯାଇଛି । କିନ୍ତୁ ଘରେ ମାଟି, କାଦୁଅ ଜମି ରହିଛି । ଲୋକେ ପାଣି ଘେରରୁ ବାହାରିଛନ୍ତି ସତ, କିନ୍ତୁ ଯାବତୀୟ ଦୁର୍ଦ୍ଦଶାରେ  ଘାଣ୍ଟି ହେଉଛନ୍ତି । କେଉଁଠି ପିଇବା ପାଣି ତ ଆଉ କେଉଁଠି ରୋଷେଇ ପାଇଁ ନୟାନ୍ତ ହେଉଛନ୍ତି । ଶହ ଶହ ହେକ୍ଟର  ଚାଷଜମି ଉଜୁଡ଼ି ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ  ବୋଲି ସୂଚନା ମିଳିଛି ।  

ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲ୍ଲା ।  ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକ୍‌ରେ  ଅଧିକ କ୍ଷୟକ୍ଷତି ହୋଇଛି । ୧୬ଟି ପଞ୍ଚାୟତର ୪୫ଟି ଗାଁ  ପ୍ରଭାବିତ ହୋଇଛି । ଏବେ ବି ୫ହଜାର ୧୪୨ ଜଣ ଲୋକ  ଆଶ୍ରୟସ୍ଥଳୀରେ ଅଛନ୍ତି । ୧୬ଟି ସ୍ଥାନରେ ମାଗଣା ରନ୍ଧ୍ୟାଖାଦ୍ୟ  ଯୋଗାଇ ଦିଆଯାଉଛି । ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ୧୩ଟି ଅଗ୍ନିଶମ  ଟିମ୍‌ ବନ୍ୟା ପରବର୍ତ୍ତୀ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ।  ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନୀଷ ଅଗ୍ରୱାଲ  ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତିର ତଦାରଖ କରିଛନ୍ତି ।  

ଭଦ୍ରକର ୪ଟି ପଞ୍ଚାୟତର ସବୁ ସ୍କୁଲ ମଙ୍ଗଳବାର ବି  ବନ୍ଦ ରହିବ । ଜିଲ୍ଲାର ଅନେକ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି ।  ଶହ ଶହ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି । ଜମିରେ  ପଡ଼ିଥିବା ଧାନ ତଳି ନଷ୍ଟ ହେବା ସହ ବାଲି ଚରିଯାଇଛି ।  ଯାଜପୁର ଓ ଦଶରଥପୁର ବ୍ଲକର ୨୪ଟି ଗାଁ ବନ୍ୟାରେ  କ୍ଷତିଗ୍ରସ୍ତ ହୋଇଛି ।  

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ଘଣ୍ଟା ଭିତରେ  ସହାୟତା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି । ପାଗ ଅନୁକୂଳ ହେଲେ ଆସନ୍ତାକାଲି ଆକାଶ  ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ  ସବୁ ନଦୀରେ ଜଳସ୍ତର କମିଛି । ତେବେ ତଳିଆ ଅଞ୍ଚଳରୁ ପାଣି ଛାଡ଼ିବା ପାଇଁ ସମୟ ଲାଗିବ । ଯେତେଦିନ ପର୍ଯ୍ୟନ୍ତ  ଲୋକେ ରିଲିଫ କେନ୍ଦ୍ରରେ ଅଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।  

ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି ।  ଜଳକା ନଦୀର ମାଥାନିଠାରେ ଜଳସ୍ତର ୫.୯୬ ମିଟର ରହିଛି ।  ଏଠାରେ ବିପଦ ସଙ୍କେତ ସ୍ତର ହେଉଛି ୬.୮୦ ମିଟର ।  ସୁବର୍ଣ୍ଣରେଖାର ରାଜଘାଟଠାରେ ଜଳସ୍ତର ବିପଦ ସଙ୍କେତ  ତଳେ ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୧୦.୩ ମିଟର  ଥିବାବେଳେ ଜଳସ୍ତର ୯.୧୪ ମିଟର ରହିଛି । ବୈତରଣୀ  ନଦୀର ଆଖୁଆପଦାରେ ଜଳସ୍ତର ୧୭.୧୪ ମିଟର ରହିଛି ।  ଏଠାରେ ବିପଦ ସଙ୍କେତସ୍ତର ହେଉଛି ୧୮.୩୩ ମିଟର ।  ବୁଢ଼ାବଳଙ୍ଗ ନଦୀରେ ଏନଏଚ-୫ ଗୋବିନ୍ଦପୁରଠାରେ  ଜଳସ୍ତର ୩.୬୨ ମିଟର ରହିଛି ।