• ଉତ୍ତର ଓଡିଶା ପାଇଁ ଆରମ୍ଭ ହେବ ଏକ ନୂଆ ଟ୍ରେନ
  • ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଖର୍ଚ୍ଚ ହେବ ୩୦୦ କୋଟି

ଭୁବନେଶ୍ୱର, ୬ ।୭ : ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟରେ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ ଏବଂ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି। ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ପୁରୀ ରେଳ ଷ୍ଟେସନଠାରେ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏବେ ଏକ ଟ୍ରାନସଫର୍ମେସନର ଯୁଗ ଆସିଛି। ସଡକ ଠାରୁ ଆରମ୍ଭ କରି ରେଳ, ବିମାନସେବା ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହି ଟ୍ରେନ ସପ୍ତାହକୁ ତିନି ଦିନ ଚାଲିବ । ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଯୋଡି ସମସ୍ତଙ୍କ ପାଇଁ ଏକ ସୁଖଦ ଯାତ୍ରାର ଅନୁଭବ ଆଣିବ। ଓଡିଶାର ୫୯ ରେଳ ଷ୍ଟେସନକୁ ‘ଅମୃତ ଭାରତ’ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିରେ ୧୮୪ କୋଟି ଟଙ୍କା ଖର୍ଚ୍ଚରେ ପୁରୀ ଷ୍ଟେସନର କାମ ମଧ୍ୟ ଚାଲୁ ରହିଛି। ଆସନ୍ତା ବର୍ଷ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।

ସେହିପରି ବ୍ରହ୍ମପୁର ରେଳ ଷ୍ଟେସନରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ଗୁଜୁରାଟ ସହ ଓଡିଶାର ସମ୍ପର୍କ ଆହୁରି ନିବିଡ ହେବ ।

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଉପକୂଳ ଓଡିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସହ ଯୋଡିବା ପାଇଁ ବହୁ ଦିନରୁ ଜନସାଧାରଣଙ୍କ ଦାବୀ ରହିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ଚିଠି ଦ୍ୱାରା ଅନୁରୋଧ କରିଥିଲେ ।  ଏହି ଟ୍ରେନ ଓଡିଶାର ଅନେକ ଜିଲ୍ଲାକୁ ପୁରୀ ସହ ଯୋଡିବ। ଦୁଇ ବର୍ଷ ତଳେ ଆମେ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ୫ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରିବୁ । ଦୁଇ ବର୍ଷରେ ୯୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଜାତୀୟ ରାଜପଥ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳଜୀଙ୍କ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା ପରି ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡିବା ପାଇଁ ମୋଦୀଜୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ  ଉତ୍ତର ଓଡିଶା ପାଇଁ ଏକ ଟ୍ରେନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।

ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ  ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ ଯେ ଉପତ୍ୟକାରୁ ଉପକୂଳକୁ ଯୋଡିବ ଏହି ନୂତନ ଟ୍ରେନ। ୫ ବର୍ଷରେ ରେଳ ବିକାଶ ପାଇଁ ଯେଉଁ କଥା ଦେଇଥିଲେ ଆଜି ଦୁଇ ବର୍ଷରେ ତାହା ପୂରଣ ହେବାକୁ ଯାଉଛି । ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଥିଲେ ଯେ, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ସମସ୍ତ ସୁବିଧା କରାଯାଉଛି।

ଏହି ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ।