ଭୁବନେଶ୍ୱର, ୧୬/୬ : ସୋମବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଥମ ବର୍ଷ ପୂର୍ତ୍ତି ପରେ ଦ୍ଵିତୀୟ ବର୍ଷର ଏହା ପ୍ରଥମ ନିଯୁକ୍ତି ମେଳା। ଆମ ସରକାରର ଦଶମ ନିଯୁକ୍ତି ମେଳା। ରାଜ୍ୟରେ ୪ ଲକ୍ଷରୁ ଅଧିକ ଚାକିରି ଅଛି। ଏହା ଓଡ଼ିଶା ଜନସଂଖ୍ୟାର ମାତ୍ର ୨ ପ୍ରତିଶତ। ଅନ୍ୟମାନେ ବେସରକାରୀ ସ୍ତରରେ ଚାକିରି ନଚେତ ବ୍ୟବସାୟ କରୁଛନ୍ତି। ସରକାରୀ ଚାକିରିର ଶ୍ରେୟ କେବଳ ରାଜ୍ୟ ସରକାରଙ୍କ ପାଇଁ ସମ୍ଭବ ହୋଇଛି। ଆଜିଠୁ ଜନସେବା ପାଇଁ ଆପଣମାନେ ଉତ୍ସର୍ଗୀକୃତ ହେଉଛନ୍ତି। ଆପଣଙ୍କ ପ୍ରଥମ କର୍ତ୍ତବ୍ୟ ସରକାରଙ୍କ ବିଚାରଧାରା ଓ ନିୟମ ଭିତରେ ରହି କାମ କରିବେ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଆଗେଇ ଆସନ୍ତୁ। କାମ କରି ଚାଲନ୍ତୁ। ଆମ ରାଜ୍ୟର ବିକାଶ ରଥର ସାରଥୀ, ଯୁବଶକ୍ତି। ଆପଣ ଚାହିଁଲେ ରାଜ୍ୟ ବିକାଶ ପଥରେ ଆଗେଇ ଯିବ। ଆଗକୁ ଓଡ଼ିଶା ସାରା ଦେଶର ଗ୍ରୋଥ୍ ଇଞ୍ଜିନ୍ ହେବ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ବହୁତ ଭଲ ପାଉଛନ୍ତି। ଆଗକୁ ଆହୁରି ସ୍ୱାସ୍ଥ୍ୟ ବିଭାଗରେ ବି ନିଯୁକ୍ତି ଦିଆଯିବ। ପ୍ରଧାନମନ୍ତ୍ରୀଙ୍କର ଯୁବ ନେତୃତ୍ୱଙ୍କ ଉପରେ ଦୃଢ ବିଶ୍ୱାସ ଅଛି। ଭାରତ ବିଶ୍ୱ ଗୁରୁ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ହେବ। ଶହେ ବର୍ଷ ପାଳନ କରାଯିବ। ଆମ ପାଖରେ ଅନେକ ସ୍ବପ୍ନ ଓ ମିଶନ ଅଛି। ୨୦୩୬ ପାଇଁ ୩୬ ସଂକଳ୍ପ ରହିଛି। ସରକାରୀ ଚାକିରି ବୟସ ସୀମା ୩୨କୁ ୪୨ କରାଯାଇଛି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ଖାଲିଥିବା ଦେଢ଼ ଲକ୍ଷ ପଦବୀ ପୂରଣ କରି ଚାଲିଛନ୍ତି। ଏବେ ସୁଦ୍ଧା ୨୭ ହଜାର ୩୪୦ ଜଣଙ୍କୁ ନିଯୁକ୍ତି ଦିଆସରିଲାଣି। ଯଦି ବେସରକାରୀ ସ୍ତରରେ ଦେଖାଯିବ, ତେବେ ୪୫ ହଜାର ନିଯୁକ୍ତି ଦିଆଯାଇଛି। ଗୋଟେ ବର୍ଷରେ ଉଭୟ ସରକାରୀ ଓ ବେସରକାରୀ ଭାବେ ୭୩ ହଜାର ୩୪୬ ନିଯୁକ୍ତି ଦିଆଯାଇଛି। ସ୍ୱଚ୍ଛତା ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମନ୍ଥର ଭାବେ ନିଯୁକ୍ତି ଦିଆଯାଉଥିଲା। ଗଲା ସରକାର ନିଯୁକ୍ତି ବିଜ୍ଞପ୍ତି ବାହାର କରୁଥିଲେ, ପୁଣି ମାମଲା କରି ବନ୍ଦ କରି ଦେଉଥିଲେ। ଏ ସରକାର ନିଯୁକ୍ତି ଦେଉଛନ୍ତି। ୨୬ ଜୁନ ବେଳକୁ ସରକାରୀ ନିଯୁକ୍ତି ୬୫ ହଜାର ହେବ। ସହର ସହ ଗାଁ ଯୋଡିବ। ରଜରେ ନିଯୁକ୍ତି, ଡବଲ ଇଞ୍ଜିନ ଡବଲ ଖୁସି ଆଣି ଦେଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପାୟନକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଗତ ସରକାର ଶିଳ୍ପ ଆଣିବାରେ ଅସଫଳ ହୋଇଥିଲେ। ବିରୋଧୀ ୬ ମାସର ସରକାର ସହିତ ୨୪ ବର୍ଷର ସରକାରର ତୁଳନା କରୁଥିଲେ। ସେଥିରୁ ଆମେ କେତେ ସୁଦୃଢ ବୋଲି ଜାଣି ପାରିଲୁ। ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଲା। ଆମେ ୧୭ ଲକ୍ଷ କୋଟି ପ୍ରସ୍ତାବକୁ ଗ୍ରହଣ କଲୁ। ୧୩ ଲକ୍ଷ କୋଟି ଗ୍ରାଉଣ୍ଡ୍ ବ୍ରେକିଙ୍ଗ୍ କଲୁ। ଖୋର୍ଦ୍ଧା, କଳିଙ୍ଗନଗର, ଢେଙ୍କାନାଳ ଓ ଗଞ୍ଜାମ ଛତ୍ରପୁରରେ ଶିଳାନ୍ୟାସ କଲୁ। ଲକ୍ଷେ ଦଶ ହଜାର ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଲା। ୫ ମାସ ମଧ୍ୟରେ କରିଛୁ, ଆଗାମୀ ଦିନରେ ଏହାର ଫଳ ମିଳିବ।
ଆଜି ମୋ ନିଜର ଜଳ ସମ୍ପଦ ବିଭାଗରେ ୬୨ କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩ କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯ ଜଣ କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦ ଟ୍ରେସର୍ ନିଯୁକ୍ତି କରାଗଲା। ୧୭ ଜଣ ବୈଧ ମାପ ବିଜ୍ଞାନ ଓ ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ ମଧ୍ୟ ନିଯୁକ୍ତି ପାଇଛନ୍ତି। କନିଷ୍ଟ ଯନ୍ତ୍ରୀଙ୍କ ସଂଖ୍ୟା ସବୁଠୁ ଅଧିକ ୯୦୭ ରହିଛି। ଆପଣମାନେ ଭିତ୍ତିଭୂମି ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। ୭୫ ହଜାର କିମି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ। ତେବେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି। ଚାକିରିର ଗୋଟେ ଦିନ ଥିଲେ କି ଦୁର୍ନୀତି କଲେ କ୍ଷମା ଦିଆ ଯିବନି । ପିଅନଠୁ ଆଇଏଏସ ଯାଏ, ଯିଏ ଦୁର୍ନୀତି କଲେ ଧରା ପଡ଼ିବ। ଆଗାମୀ ଦିନରେ ୱାର୍କ ପାସ ବୁକ ରହିବ। ଯିଏ ଠକିବ, ଧରା ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ, ମୁଖମନ୍ତ୍ରୀ ଯୋଜନା ପ୍ରସ୍ତୁତ ବେଳେ ପ୍ରଥମେ ପଦବୀ ପୂରଣକୁ ଗୁରୁତ୍ୱ ଦେଇଥିଲେ। ମାତ୍ର ୩ ଦିନ ହେବ ସରକାରକୁ ବର୍ଷେ ପୂରଣ ହୋଇଛି। ରାଜ୍ୟ ସରକାର ୫ବର୍ଷରେ ଦେଢ଼ ଲକ୍ଷ ଯୁବକ, ଯୁବତୀଙ୍କ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି। ପୂର୍ବରୁ କୌଣସି ସରକାର ଏତେ ନିଯୁକ୍ତି ଦେଇନଥିଲେ। ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଉନ୍ନୟନ କମିଶନର ଅନୁ ଗର୍ଗ ନବନିଯୁକ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପୂର୍ତ୍ତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଶିବଲାଲ କିଷାନ ଓ ଜଳ ସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଅନୁସୟା ମହାନ୍ତି ମୁଖମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ୱଚ୍ଛତା ଓ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ।