- ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ
- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ନୂତନ ବିଲ୍ଡିଂ ଉଦଘାଟିତ
- ୩୯ ପ୍ରକଳ୍ପର ଶୁଭାରମ୍ଭ, ୧୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ
ଭୁବନେଶ୍ୱର, ୮।୬ : ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏଥିସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମୋଟ ୪୩୦.୨୬ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହି ବୃହତ ବ୍ୟୟବରାଦ ଅଧୀନରେ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କ୍ଷେତ୍ର ସହିତ ଜଡ଼ିତ ୩୯ଟି ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ୨୮୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୯ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୮ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ବିଶେଷ ଭାବେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ ହୋଇଛି।
ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ। ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ କେବଳ ବାରିପଦା କିମ୍ବା ମୟୂରଭଞ୍ଜ ଜିଲ୍ଲା ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ । ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ନୂତନ ଟିଚିଙ୍ଗ୍ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ବହୁଳ ଭାବେ ଉପକୃତ କରିବ। ବୃଦ୍ଧି ପାଇଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବର୍ତ୍ତମାନର ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯାଇଛି। ଗତ ଫେବୃଆରୀ ମାସରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗଜପତି, ମାଲକାନଗିରି, ରାୟଗଡାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ ଓ ନୂଆପଡାରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି।
ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡାକ୍ତରୀ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ। ସମାଜ ଡାକ୍ତରମାନଙ୍କୁ 'ଭଗବାନଙ୍କ ଦ୍ୱିତୀୟ ରୂପ' ଭାବେ ଗ୍ରହଣ କରିଥାଏ, କାରଣ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସେମାନଙ୍କ ହାତରେ ଥାଏ। ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ କଲମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ରହିଛି ଏବଂ ମୁମୂର୍ଷୁ ରୋଗୀର ଆଖିରୁ ଲୁହ ପୋଛିବା ହିଁ ଜଣେ ଚିକିତ୍ସକଙ୍କ ଜୀବନର ସବୁଠାରୁ ବଡ଼ ସଫଳତା।ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରୁଥିବା ଭବିଷ୍ୟତର ଡାକ୍ତରମାନେ ପାଠପଢ଼ା ଶେଷ କରିବା ପରେ ସମାଜର ସବୁଠାରୁ ଶେଷ ଧାଡ଼ିରେ ଥିବା ଗରିବ, ଦଳିତ, ଅବହେଳିତ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ଉଚିତ।
ସନାତନ ସଂସ୍କୃତିର "ସେବା ହିଁ ପରମ ଧର୍ମ" ବାର୍ତ୍ତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରକୃତ ଡାକ୍ତରୀ ଶିକ୍ଷା ହେଉଛି ବିଜ୍ଞାନ ଓ କାରୁଣ୍ୟର ଏକ ଅପୂର୍ବ ସମନ୍ୱୟ। ଆଧୁନିକ ମେଡିକାଲ ଯନ୍ତ୍ରପାତି ରୋଗୀର କଷ୍ଟ ବୁଝିପାରେ ନାହିଁ, ମାତ୍ର ଡାକ୍ତରଙ୍କ ମୁହଁର ମିଠା କଥା ଓ ସହାନୁଭୂତିପୂର୍ଣ୍ଣ ବ୍ୟବହାର ରୋଗୀକୁ ଆନ୍ତରିକ ସୁସ୍ଥତା ପ୍ରଦାନ କରେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ସେମାନେ ଓଡ଼ିଶାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିବାର ପ୍ରଧାନ ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ତାଙ୍କରି ଦୂରଦୃଷ୍ଟି ଓ ନିରନ୍ତର ସହଯୋଗ ଯୋଗୁଁ ହିଁ ଆଜି ମୟୂରଭଞ୍ଜ ବିକାଶର ଏକ ନୂଆ ଶିଖରରେ ପହଞ୍ଚି ପାରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଜିଲ୍ଲାବାସୀଙ୍କୁ ଶ୍ରେଷ୍ଠ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ନୂତନ ହସ୍ପିଟାଲ ଆଗାମୀ ଦିନରେ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ମାନଚିତ୍ର ବଦଳାଇ ଦେବ
ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାଙ୍ଗିରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବଡ଼ସାହି ବିଧାୟକ ସନାତନ ବିଜୁଳି ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ବୁଢ଼ାନ ମୁର୍ମୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।