ଭୁବନେଶ୍ୱର,୮/୦୯: ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସବୁ ବିଜେପି  ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ  ସେ ସାଂସଦଙ୍କୁ ଭେଟି ଆଲୋଚନା କରିବେ । ଉଭୟ ମୋହନ ଓ  ମନମୋହନଙ୍କ ସମାନ ସମୟରେ ଦିଲ୍ଲୀ  ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତ ୫ ତାରିଖରେ  ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଥିଲେ । ଏହି  ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ  ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ।  

ଶନିବାର ମନମୋହନ ଓଡ଼ିଶା  ଫେରିଥିଲେ ବି ବିଜେପି ସାଧାରଣ  ସମ୍ପାଦକ(ସଂଗଠନ) ମାନସ ମହାନ୍ତି  ଦିଲ୍ଲୀରେ ଥିଲେ । ମନମୋହନ ରବିବାର ଯିବା ପରେ ଉଭୟ ନେତାଙ୍କ  ସହ କେନ୍ଦ୍ରୀୟ ନେତୃତ୍ୱ ମାରାଥନ୍‌  ଆଲୋଚନା କରିଛନ୍ତି । ନିଗମ, ବୋର୍ଡରେ ନିଯୁକ୍ତିଠାରୁ ନେଇ ନୂଆ ଟିମ୍‌  ଗଠନ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ  ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି ।  ନିଗମ, ବୋର୍ଡରେ କେଉଁମାନେ  ଥଇଥାନ ହେବେ, ତାହା ଆପାତତଃ  ଚୂଡ଼ାନ୍ତ ହୋଇସାରିଛି । କେବଳ  ଘୋଷଣା ବାକି ଅଛି । ବିଜେପି ନୂଆ  ଟିମ୍‌ ନେଇ ମଧ୍ୟ ଆଲୋଚନା ହୋଇଛି ।  ଆଗକୁ ପୁଣି ଥରେ ଶୀର୍ଷ ନେତୃତ୍ୱଙ୍କ  ସହ ତାଙ୍କର ବୈଠକ ବସିବ ।  ରବିବାର ବିଳମ୍ବିତ ରାତିରେ ସେ ପୁଣି ଥରେ ଦିଲ୍ଲୀ ଯାଇଛନ୍ତି । ନିଗମ ଓ ବୋର୍ଡ ନିଯୁକ୍ତି ସହିତ ବିଜେପିର ନୂଆ ଟିମ୍‌ ଗଠନ ଉପରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ।

ବିଧାନସଭାର ମୌସୁମୀ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ  ବୋଲି ସୂଚନା ମିଳିଛି । ମନମୋହନଙ୍କ  ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ମଧ୍ୟ  ମୋହନ-ମନମୋହନଙ୍କ ଉପସ୍ଥିତିରେ  ଆଲୋଚନା ହୋଇପାରେ । ମନ୍ତ୍ରୀ  ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଯିବା ସ୍ୱାଭାବିକ ।  ଏହାକୁ ରାଜନୈତିକ ଦୃଷ୍ଟିରୁ ଦେଖିବା  ଠିକ୍‌ ନୁହେଁ।