କଟକ ୧୦/୧୧:  ବାଲିଯାତ୍ରା ଉଦ୍‌ଘାଟନ ଉତ୍ସବରେ କେଉଁ ଭିଆଇପି  ଅତିଥି ଭାବେ ଯୋଗ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ  ଲାଗିରହିଥିଲା । ଫଳରେ ବାଲିଯାତ୍ରା ଅୟୋଜକ  କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କାର୍ଡରେ  କୌଣସି ଅତିଥିଙ୍କ ନାଁ ରଖାଯାଇନଥିଲା । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିଯାତ୍ରାକୁ ଆସିବାର  ସମ୍ଭାବନା ଥିବା କୁହାଯାଉଥିବା ବେଳେଜି ଏନେଇ  କିଛି ଦ୍ୱନ୍ଦ୍ୱ ଦୂର ହୋଇଛି ବୋଲି କୁହାଯାଇପାରେ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରା  ଉତ୍ସବ ଉଦ୍‌ଘାଟନ କରିବେ । ୧୫ତାରିଖ ସନ୍ଧ୍ୟା  ସାଢେ ୫ଟା ବେଳକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ  ଆସି ବାଲିଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜିଲ୍ଲାପାଳ  ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରକାଶ କରିଛନ୍ତି । ତାଙ୍କ  ସହିତ ଅନ୍ୟ କୌଣସି ମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି  କୁହାଯାଉଛି । ତେବେ ଦୀର୍ଘ ବର୍ଷ ପରେ ବାଲିଯାତ୍ରା  ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଯାଉଛି ।  

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି । ଶନିବାର ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ସମେତ  ଡିସିପି ଜଗମୋହନ ମୀନା, ସିଏମ୍‌ସି କମିସନର ଅନାମ  ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟାପୋ, ଡ.  ଦିବ୍ୟଲୋଚନ ମାହାନ୍ତ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ  ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସମେତ ସଦର ଓ  ବାଙ୍କୀ ଉପଜିଲ୍ଲାପାଳ, ଟିପିସିଓଡିଏଲ୍‌, ୱାଟକୋ,  ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଯନ୍ତ୍ରୀ, ସିଏମ୍‌ସି  ଅଧିକାରୀ, ପୁଲିସ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୫ ବୋଇତରେ ଆସିବେ ଅତିଥି

ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ  ସମେତ ଅନ୍ୟ ଅତିଥିମାନେ ଆସିବେ । ତେବେ  ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ମହାନଦୀରେ  ବୋଇତ ମାଧ୍ୟମରେ ମଞ୍ଚ ନିକଟକୁ ଅଣାଯିବ ।  ଏନେଇ ସୁସଜ୍ଜିତ ୫ଟି ବୋଇତ ପ୍ରସ୍ତୁତ କରାଯାଉଛି ।  ଅତିଥିମାନେ କଟକ ସିଲଭର ସିଟି ବୋଟିଂ କ୍ଲବ୍‌  ନିକଟରେ ଏକାଠି ହେବେ । ସେଠାରୁ ମଞ୍ଚ ନିକଟକୁ  ପାଖାପାଖି ୫ଶହ ମିଟର ବୋଇତରେ ଅଣାଯିବାକୁ  ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ଗତ କିଛିବର୍ଷ ଧରି  ଅତିଥିମାନଙ୍କୁ ଏଭଳି ବ୍ୟବସ୍ଥାରେ ଅଣାଯାଉଥିବା ବେଳେ  ପ୍ରାନୀନ ନୌବାଣିଜ୍ୟ ପରମ୍ପରାକୁ ଜୀବନ୍ତ କରୁଛି ।