ଭୁବନେଶ୍ୱର ୨୩/୧୧: ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀଗସ୍ତରୁ ଫେରି କାର୍ଯ୍ୟରେ ଯୋଗଦେଇଛନ୍ତି । ବିନା ବିଶ୍ରାମରେ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ରାତିରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ଶନିବାର ଦିଲ୍ଲୀରେ ଭାରତ ଆନ୍ତର୍ଜାତୀକ ବାଣିଜ୍ୟ ମେଳାରେ ଯୋଗଦେବା ସହିତ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିଥିଲେ। ଆଜି ସକାଳ ୭ଟା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଆସିଥିଲେ। ଭୁବନେଶ୍ବର ବିମାନବନ୍ଦରରୁ ଓହ୍ଲାଇ ସିଧାସଳଖ ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟ କରିଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଛବି।

ଓଡିଶା ବାସୀଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ବଦ୍ଧ। ସେଥିଲାଗି ଦିନ ରାତି ଏକ କରି କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।