ଭୁବନେଶ୍ୱର, ୨୭/୦୬: ସୋମବାର ଅର୍ଥାତ୍ ଜୁନ୍ ୩୦ ତାରିଖରେ ଜନ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ୧୦ଟା୩୦ରୁ ଭୁବନେଶ୍ୱର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ଠାରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ । ଏନେଇ ଶୁକ୍ରବାର ଦିନ ୧୨ଟାରୁ ପଞ୍ଜୀକରଣ ଆରମ୍ଭ ହୋଇଛି ।
୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନଲାଇନ୍ ପଞ୍ଜୀକରଣରେ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ରେଜିଷ୍ଟ୍ରାସନ କରିପାରିବେ ।
ଲୋକମାନେ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।