ବଲାଙ୍ଗିର,୧୫/୬ : ଆସନ୍ତା ୧୭ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ପଥରଚେପାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ  l ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ଜିଲ୍ଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉନ୍ନୟନ ବିକାଶ ପରିଷଦ ଦାବି କରିଛି।  ପରିଷଦ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତରେ ଲୋୟର ସୁକତେଲ ଏବଂ ଅପର ଲାନ୍ଥ ପ୍ରକଳ୍ପର ଅଗ୍ରଗତି ଓ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସଂପର୍କରେ ଜଣାନ୍ତୁ, ୧୭୭୫କୋଟି ଟଙ୍କା ବ୍ୟୟରେ ଜିଲ୍ଲାରେ ହେବାକୁ ଥିବା ମେଗା ୱାଟର ଯୋଗାଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବାକିଆ ୫୦ ପ୍ରତିଶତ ଅନୁଦାନ ପ୍ରଦାନ କରନ୍ତୁ, ହରିଶଙ୍କର, ରାଣୀପୁର ଝରିଏଲ, ଭୀମ ଦୁଙ୍ଗୁରି, ଚାନ୍ଦଲି, କୁକୁଡ଼ା, ଗାଇଖାଇକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଦିଆଯାଇଥିଲା ।

କିନ୍ତୁ ଏବେ ଟଙ୍କା ଟିଏ ବି ଆସିନାହିଁ। ତେଣୁ ତାହା ପ୍ରଦାନ କରିବା ସହ ରାଣୀପୁର ଝରିଏଲ୍ ପାଇଁ ଏଏସଆଇ ତରଫରୁ ସ୍ଵତନ୍ତ୍ର ଅନୁଦାନ ଆଣିବାକୁ ପ୍ରତିଶ୍ରୁତି ଦିଅନ୍ତୁ। ସେହିପରି ବଲାଙ୍ଗିରରେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ ଏବଂ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା, ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା, ଧାନ କିଣାରେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସଂପର୍କରେ ମଧ୍ୟ କହିବେ ବୋଲି ଆଶା କରାଯାଇଛି । ଆଜିର ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ଲକ୍ଷ୍ମଣ ମେହେର, ଆଦିବାସୀ ନେତା ଗୁନସାଗର ମାଝି, କୃଷକ ନେତା ଜତି ପଧାନ ଉପସ୍ଥିତ ଥିଲେ।