- ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଆଉ ଦୁଇ ଦିନ ବଢିଲା ପ୍ରଦର୍ଶନୀ, ୧୨ ତାରିଖ ଯାଏଁ ଚାଲିବ
- ୨୦୨୫ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତ ବୃଦ୍ଧି ପାଇଛି
ଭୁବନେଶ୍ବର, ୧୦।୩ : ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବୁଲି ଦେଖିଛନ୍ତି। ଏଥିସହ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ୧୨ ତାରିଖରେ ଶେଷ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା। ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରୀତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତ୍ତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।
ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ୨୦୨୫ ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୨୦୨୫ ରେ ଜିରୋ ଏଫଆଇଆର ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଇନ ବ୍ୟତୀତ ଆମେ ପୋଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ। National Forensic Science University ଏବଂ Central Forensic Science Laboratory ପାଇଁ ଶିଳାନ୍ୟାସ କରାଯାଇଛି। ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ ପାରଙ୍ଗମ କରିବା ପାଇଁ ଆଇଆଇଟି ଭୁବନେଶ୍ବର ସହିତ ଏମଓୟୁ ହୋଇଛି। ପୋଲିସ୍ କୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଏମଓୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜି ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଭାରତୀୟ ନ୍ୟାୟ ସଂହିତା’ ପ୍ରଦର୍ଶନୀ ପରିଦର୍ଶନ କଲି। ଔପନିବେଶିକ ମାନସିକତାରୁ ମୁକ୍ତ ହୋଇ ଭାରତୀୟ ମୂଲ୍ୟବୋଧ ଏବଂ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ନୂତନ ଆଇନ ବ୍ୟବସ୍ଥା ଆମ ଗଣତନ୍ତ୍ର ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। pic.twitter.com/Z77zW8vIWo
— Mohan Charan Majhi (@MohanMOdisha) March 10, 2026