ଭୁବନେଶ୍ୱର, ୦୭/୦୩: ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ  ରୋକିବା ପାଇଁ କଠୋର ହୁଅ । ବେଆଇନ୍‌  ବାଲି ଓ ପଥର ଖାଦାନରେ ଚଢ଼ଉ କରିବା  ସହ ବେଆଇନ ଖଣି ଖନନ ଉପରେ ରୋକ୍‌  ଲଗାଅ ଏବଂ ଅଭିଯୁକ୍ତ ବିରୋଧରେ ଆଇନ  ଅନୁଯାୟୀ ମାମଲା ରୁଜୁ କର । ଗୁରୁବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜା । 

ଶ୍ରୀ ଆହୁଜା, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଭିସିରେ  ଏହି ପ୍ରସଙ୍ଗ ଆଲୋଚନା କରିଥିଲେ । ଏହି  ଆଲୋଚନାବେଳେ ଇ-ଟ୍ରାଞ୍ଜିଟ୍‌ ପାସ୍‌ ବିନା  ପରିବହନ ବନ୍ଦ କରିବାକୁ କୁହାଯାଇଛି । ଏହି  ପାସ୍‌ ବିନା ବେଆଇନ ଖଣିଜ ପଦାର୍ଥ ପରିବହନ  ହେଉଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ  ଖଣିଜ ଚାଲାଣ କରୁଥିବା ଗାଡ଼ିକୁ ତୁରନ୍ତ  ଜବତ କରାଯିବ । ଜିଲ୍ଲାପାଳ ଓ ଏସ୍‌ପି ମିଳିତ  ଭାବେ ଏଥିପାଇଁ ରଣନୀତି ସ୍ଥିର କରିବେ । ଉପଖଣ୍ଡ ସ୍ତରୀୟ ଟିମ୍‌ ଏବଂ ରାଜସ୍ୱ, ଖଣି,  ପୁଲିସ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ  ତହସିଲସ୍ତରୀୟ ଟିମ୍‌ ଏହି କାମ କରିବେ । ବାଲି,  କଳାପଥର ଆଦିର ନୂତନ ଉତ୍ସଗୁଡ଼ିକର ସର୍ଭେ  କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର  ଏବର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ  କରିବାକୁ କୁହାଯାଇଛି । ଏହି ନୂତନ ଉତ୍ସଗୁଡିକ  ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ ଚଳିତ ବର୍ଷ ଅଗଷ୍ଟ  ମାସ ସୁଦ୍ଧା ପ୍ରସ୍ତୁତ କରାଯିବ ଏବଂ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଉତ୍ସଗୁଡିକ ନିଲାମ କରିବାକୁ  ଲକ୍ଷ୍ୟ ରଖାଯାଇଛି । ବୈଠକରେ ରାଜ୍ୟ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ।