ହରଭଙ୍ଗା, ୧୪।୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗସ୍ତ କରିଛନ୍ତି। ସେଠାରେ ନିର୍ମାଣଧୀନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେଠାରେ ଚାଲିଥିବା ଡବ୍ଲୁଟିପି ନିର୍ମାଣ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିଥିଲେ।
ସେ ଜଳଜୀବନ ମିଶନ ଯୋଜନାରେ ୨୦୨୧ ମସିହାରୁ ଚାଲିଥିବା ଏହି ବୃହତ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଶେଷ କରିବାକୁ ଏଲଏନଟି କର୍ତ୍ତୃପକ୍ଷ ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେଠାର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା|
ହରଭଙ୍ଗା ବ୍ଲକ ସହିତ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକକୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ମେଗା ପ୍ରକଳ୍ପ ନିର୍ମାଣ କରାଯାଉଛି। ମାତ୍ର କାମରେ ମନ୍ଥରତା ଯୋଗୁଁ ଆଗାମୀ ଗ୍ରୀଷ୍ମ ଋତୁରେ ଅଞ୍ଚଳବାସୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ ଏବଂ ଲୋକଙ୍କ ଜଳ ସମସ୍ୟାର ସମାଧାନ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି।ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଏସପି ରାହୁଲ୍ ଗୋଏଲ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ସନ୍ଦୀପ କୁମାର ଛୁଆଳ ସିଂ, ଜଳ ସମ୍ପଦର ନିର୍ବାହୀ ଯନ୍ତ୍ରୀ ଇଂଜିନିୟର ନରେଶ ବାରିକ ପାନୀୟ ଜଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂଜିନିୟର ପଲ୍ଲବୀ ସାମଲ ସମତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ଏବଂ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ୟା ଉପରେ ଜିଲ୍ଲାପାଳ ସଚିବଙ୍କୁ ଅବଗତ କରାଇଥିଲେ।