ଭଦ୍ରକ,୨୮।୧ : ଓଭରବ୍ରିଜ ତଳକୁ ଖସି ପଡିଲା ବାଇକ । ଦୁର୍ଘଟଣାରେ ବାପା-ମା ଆଗରେ ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଡାହାଣୀ ଗଡିଆ ଠାରେ ।

୧୬ ନମ୍ବର ଜାତୀୟ ରାଜପଥରେ ବାଇକ ଯୋଗେ ମୟୁରଭଞ୍ଜ ଜିଲ୍ଲା ନିଶିତପୁର ପଞ୍ଚାୟତ ମାଳତୀପାଟଣା ଗ୍ରାମର ରଜତ ଜେନା ନିଜ ସ୍ତ୍ରୀ ଓ ନିଜର ୩ ବର୍ଷର ପୁଅ ଆକାଶକୁ ନେଇ ଭୁବନେଶ୍ୱର ଯାଉଥିଲେ। ଏକ ଅଜଣା ଗାଡ଼ି ତାଙ୍କ ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ବାଇକଟି ଓଭର ବ୍ରିଜ ତଳକୁ ଖସି ପଡିଥିଲା। ଫଳରେ ବାପା- ମା’ ଜାତୀୟ ରାଜପଥ ତଳକୁ ପଡିଯାଇଥିବା ବେଳେ ପୁଅ ଜାତୀୟ ରାଜପଥରେ ପଡିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା ବେଳେ ପୁଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସ୍ୱାମୀ-ସ୍ତ୍ରୀ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।