ଭୁବନେଶ୍ୱର, ୨୭/୦୪ : ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ ରାଜଧାନୀରେ ଚାଲିଥିଲା ବାଲ୍ୟବିବାହ । ଜଣେ ନାବାଳିକାଙ୍କୁ ମନ୍ଦିରରେ ବିବାହ କରି ନେଇଯାଉଥିବା ବେଳେ ପିଛାକରି ଧରିଛନ୍ତି ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ବରକୁ ଥାନାରେ ଅଟକ ରଖି ଘଟଣାର ଛାନ୍ଭିନ ଚଳାଇଛି । ନାବାଳିକାଙ୍କୁ ରୁଚିକା କର୍ତ୍ତୃପକ୍ଷ ସିଡବ୍ଲ୍ୟୁସିରେ ହାଜର ପରେ ତାଙ୍କୁ ଏକ ସଟ୍ ଷ୍ଟେ ହୋମ୍ରେ ରଖାଯାଇଛି ।
ମଞ୍ଚେଶ୍ୱର ଚକେଇସିଆଣି ଅଞ୍ଚଳର ୧୭ ବର୍ଷର ନାବାଳିକାଙ୍କ ସହ ନୟାଗଡ଼ ଅଞ୍ଚଳର ଜଣେ ୩୫ ବର୍ଷର ଯୁବକଙ୍କ ଆଜି ଚକେଇସିଆଣିସ୍ଥିତ ଏକ ମନ୍ଦିରରେ ବିବାହ ହୋଇଥିଲା । ବିବାହ ପରେ ବରଘର ଲୋକେ ନାବାଳିକାଙ୍କୁ ନେଇ ପଳାଉଥିଲେ । ଖବରପାଇ ରୁଚିକା ସମାଜ ମଙ୍ଗଳ ସଂଗଠନର ଜିଲ୍ଲା ସଂଯୋଜିକା ଶିବାନୀ ନାୟକଙ୍କ ନିର୍ଦ୍ଦେଶକ୍ରମେ କର୍ମକର୍ତ୍ତା ହରପ୍ରିୟା ପତି, ଅଜୟ ମହାରଣା ଓ ଘନଶ୍ୟାମ ଭୋଇ ଚକେଇସିଆଣି ଅଞ୍ଚଳର ସାଇ ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇଥିଲେ । ସେମାନେ ପୁଲିସକୁ ଫୋନ୍ କରି ଦେଇଥିଲେ । ପୁଲିସ ପହଞ୍ଚିବା ପରେ ବରକନ୍ୟାଙ୍କୁ ଥାନାକୁ ନେଇ ଆସିଥିଲା । ଏନେଇ ରୁଚିକା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ବରକୁ ଥାନାରେ ଅଟକ ରଖିଥିବାବେଳେ ନାବାଳିକାଙ୍କୁ ରୁଚିକା କର୍ମକର୍ତ୍ତା ନେଇ ସିଡବ୍ଲ୍ୟୁସିରେ ହାଜର କରାଇଛନ୍ତି । ନାବାଳିକାଙ୍କୁ ଏକ ସଟ୍ ଷ୍ଟେ ହୋମ୍ରେ ଛାଡ଼ି ଦିଆଯାଇଛି ।
ସରକାର ବାଲ୍ୟ ବିବାହ ନିରୋଧ ଆଇନ ପ୍ରଣୟନ କରି ସବୁ ଧର୍ମୀୟ ସ୍ଥାନକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଛନ୍ତି । ଏ ପରିସ୍ଥିତିରେ ଚକେଇସିଆଣିସ୍ଥିତ ଉକ୍ତ ମନ୍ଦିର କର୍ତ୍ତୃପକ୍ଷ ବାଲ୍ୟ ବିବାହ କରାଇବାକୁ କିପରି ଅନୁମତି ଦେଲେ ଖୋଳତାଡ ଚାଲୁଥିବା ରୁଚିକା ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ବେଣୁଧର ସେନାପତି କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- Heatwave Alert : ଆକାଶରୁ ବର୍ଷୁଛି ନିଆଁ, କଲବଲ କରୁଛି ଅସହ୍ୟ ତାତି, ଆସନ୍ତା ୨ ରୁ ୩ ଦିନ ଯାଏଁ ଆହୁରି ଜାଳିବ