କୋଇଡା,୧୩/୧୦: ମରିଗଲା ମାନବିକତା, ଭୁଲିଗଲା ମାମତା । ଜନ୍ମ ଦେଉ ଦେଉ ରାକ୍ଷସୀ ପାଲଟିଲା ମାଆ । ବକ୍ଷରୁ ଅମୃତ ଦେବା ବଦଳରେ ନବଜାତ ଶିଶୁପୁତ୍ରକୁ ବିକ୍ରି କରି ଦେଇଛି । ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକରୁ ଏପରି ଅଭିଯୋଗ ଆସିଛି । ଶିଶୁକୁ ବିକ୍ରି କରିବା ପରେ ମାଆ କେଉଁ ଆଡ଼େ ଫେରାର୍ ହୋଇଯାଇଛି ।
ସୂଚନା ମୁତାବକ, କୋଇଡା ବ୍ଲକର ପାଟମୁଣ୍ଡା ହାଟିଂର ଜଣେ ଗର୍ଭବତୀ ଅଗଷ୍ଟ ୮ ତାରିଖରେ କୋଇଡା ଠାରେ ଥିବା ମାଆ ଗୃହକୁ ଆସିଥିଲେ । ସେଠାରେ କିଛି ଦିନର ଚିକିତ୍ସା ପରେ ଡେଲିଭରି ପାଇଁ ରାଉରକେଲା ଆରଜିଏଚକୁ ରେଫର୍ ହୋଇଥିଲେ। ଆରଜିଏଚରେ ଅଗଷ୍ଟ ୩୧ ତାରିଖରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ଦେବାର ଦିନେ ଦୁଇଦିନ ପରେ ସେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ଆଶା ଦିଦି । ସେପଟେ ପିଲା ବିକ୍ରି ପରେ ସମ୍ପୃକ୍ତ ମହିଳା କେଉଁ ଆଡେ ଚାଲି ଯାଇଥିବା ବେଳେ ତାଙ୍କର ଫୋନ୍ ବନ୍ଦ ରହିଛି । ଶିଶୁପୁତ୍ରକୁ ଜନ୍ମ ଦେବା ପରେ ମାଆ କାହିଁକି ବିକ୍ରି କରିଦେଲା ତାହା ଅସ୍ପଷ୍ଟ ରହିଛି । ମହିଳାଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳୁନି ।