ରାୟଗଡ଼(ଗଜପତି)୧୨/୧୨ : ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସାଙ୍ଗକୁ ସେମାନଙ୍କୁ ସୁରକ୍ଷିତ ଓ ଉତ୍ତମ ସ୍ୱାସ୍ଥ୍ୟରେ ରଖିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥି ନିମିତ୍ତ ଆସିଥିବା ଟଙ୍କାର ବାଟ ମାରଣା ହୋଇଥିବା ଚର୍ଚ୍ଚା ହେଉଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗୀୟ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଶାରୀ କିଣାରେ ବେନିୟମ ଓ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ଏସ୍ଏସଡି ବିଭାଗୀୟ ସ୍କୁଲମାନଙ୍କରେ । ତେବେ ଏଥିରେ ବିଭାଗୀୟ ଅଧିକାରୀମାନଙ୍କ ସଂପୃକ୍ତ ଓ ଚାପରେ ଏହି ପ୍ରକାର ଘୋଟଲା ହୋଇଥିବା ଆଶଙ୍କା କରାଯାଉଥିବାରୁ ଏଥିରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ଲକର ପଞ୍ଚାୟତ ପ୍ରତିନିଧିମାନଙ୍କ ସମେତ ସାଧାରଣରେ ଦାବି ହେଉଛି ।

ପ୍ରକାଶ ଯେ, ରାୟଗଡ଼ ବ୍ଲକରେ ଥିବା ସମସ୍ତ ମଙ୍ଗଳ ବିଭାଗୀୟ ବିଦ୍ୟାଳୟମାନଙ୍କରେ ଅନ୍ତେବାସୀ ଓ ଅନ୍ତେବାସୀନିମାନଙ୍କ ନିମନ୍ତେ ମଶାରୀ କିଣିବା ପାଇଁ ଚଳିତ ବର୍ଷ ଜୁଲାଇ ମାସରେ ବିଦ୍ୟାଳୟର ଯୁଗ୍ମ ଜମା ଖାତାକୁ ସରକାରଙ୍କ ପକ୍ଷରୁ ଟଙ୍କା ଜମା କରାଯଇଥିଲା। ତେବେ ମଶାରୀ କିଣା କାଗଜକଲମ ଓ ମିଥ୍ୟା ବିଲ୍ ଭାଉଚରରେ ସୀମିତ ରହିଥିବା ଅଭିଯୋଗ ହେଉଛି । ଉକ୍ତ ମଶାରୀ କିଣା ଜମା ଟଙ୍କା ଉଠାଣ କରି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ କିଣିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଯୁଗ୍ମ ଜମାଖାତାରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଷୁ ପ୍ରସାଦ ସେଠିଙ୍କ ନାମ ଥିବାରୁ ଏହାର ଫାଇଦା ଉଠାଇ ପ୍ରଧାନ ଶିକ୍ଷକମାନଙ୍କ ଉପରେ ଚାପ ପକାଇ ଭୁବନେଶ୍ବରସ୍ଥିତ ଗ୍ରୀନ୍ ଓଡ଼ିଶା ସର୍ଭିସେସ୍ ଠିକା ସଂସ୍ଥାକୁ Neft କରିବା ପାଇଁ ବାଧ୍ଯ କରିଥିଲେ l ଏଥିରେ କିଛି ଶିକ୍ଷକମାନେ ଆପତ୍ତି  କରିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶ ବୋଲି କହି ଜୋର୍ ଜବରଦସ୍ତ କରି ଚେକ୍ ନେଇଥିବା କିଛି ପ୍ରଧାନ ଶିକ୍ଷକମାନେ ତାଙ୍କ ନାମ ଗୋପନୀୟତା ରଖି ପ୍ରକାଶ କରିଛନ୍ତି । ଚେକ୍ ନେବାର ପ୍ରାୟ ଏକ ମାସ ପରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସେଠୀ ଶିକ୍ଷକମାନଙ୍କୁ ବ୍ଲକକୁ ଡ଼ାକି କିଛି କିଛି ମଶାରୀ ଦେଇଥିଲେ । ତେବେ ଶିକ୍ଷକମାନେ ଏତେ କମ୍ ମଶାରୀ ନ ଦେଇ ଯେତକ ଟଙ୍କା ଡିପୋଜିଟ କରାଯାଇଛି ସେତକ ମଶାରୀ କାହିଁକି ଦିଆଯାଉନି ବୋଲି ପଚାରିବାରୁ ଆଉ କିଛିଦିନ ପରେ ଆସିବ ବୋଲି କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି l ତେବେ ଟଙ୍କା ନେବାର ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅବଶିଷ୍ଟ ମଶାରୀ ସମ୍ପୃକ୍ତ ଠିକା ସଂସ୍ଥା କି ଅଧିକାରୀ ଯୋଗାଇ ପାରିନାହାନ୍ତି I ତେଣୁ ଏ ପ୍ରକାର ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି । ତେବେ ମଶାରୀ କିଣା ନିମନ୍ତେ ଆସିଥିବା ଟଙ୍କାକୁ ମଶାରୀ ପ୍ରଦାନ ନ କରୁଣୁ କlହିଁକି ଉକ୍ତ ସଂସ୍ଥାକୁ ଆଗୁଆ ଟଙ୍କା ଦିଆଗଲା । ଏଥିରେ କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମଶାରୀ କିଣାରେ ଏ ପ୍ରକାରର ଘୋଟଲା କେବେଳ ରାୟଗଡ଼ ବ୍ଲକରେ ନୁହେଁ ଜିଲ୍ଲାର ଅନ୍ୟତମ ବ୍ଲକମାନଙ୍କରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରୀ ହୋଇଥିବା ବୁଦ୍ଧିଜିବୀ ଓ ଶିକ୍ଷାବିତମାନେ ଆଶଙ୍କା କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସଲମାନ ରାଇକାଙ୍କ ସହ ଯୋଗାଯୋଗ କରାଯିବାରୁ ଏ ପ୍ରକାରର ଘୋଟାଲା ମୋ ନଜରରେ ଆସିନାହିଁ I ଏ ପ୍ରକାରର ଅନିୟମିତତା ହେବା କଥା ନୁହେଁ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।