ନୂଆଦିଲ୍ଲୀ,୨୮/୦୫: ଚୀନ୍ ଯେଉଁ ପରିସ୍ଥିତିକୁ ଡରୁଥିଲା, ଶେଷରେ ସେମିତି କିଛି ଘଟଣା ସାମ୍ନାକୁ ଆସିଛି। ବିଶ୍ୱର ସର୍ବବୃହତ କାର୍ ବଜାରରେ ବର୍ଦ୍ଧିତ ମୂଲ୍ୟ ଯୁଦ୍ଧ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିଛି। ସୋମବାର ଦିନ ଚୀନ୍ର ସର୍ବବୃହତ ବୈଦ୍ୟୁତିକ ଯାନବାହାନ କମ୍ପାନୀ ବିଓ୍ବାଇଡି ଏକ ବଡ଼ ମୂଲ୍ୟ ହ୍ରାସ ଘୋଷଣା କରିବା ପରେ ଚୀନ୍ର ସର୍ବବୃହତ କାର୍ ନିର୍ମାତାଙ୍କ ସେୟାର ଦ୍ରୁତଗତିରେ ହ୍ରାସ ପାଇଛି। ବିଓ୍ବାଇଡିର ଏହି ପଦକ୍ଷେପ ପରେ, ଅନ୍ୟ କାର୍ କମ୍ପାନୀଗୁଡ଼ିକ ଖୋଲାଖୋଲି ଭାବରେ 'ପ୍ରାଇସ୍ଓ୍ବାର୍' ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ଏବେ ବିଓ୍ବାଇଡିର ସବୁଠାରୁ ଶସ୍ତା ମଡେଲ୍ ସିଗଲ୍ ହ୍ୟେଚବ୍ୟାକ୍ର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୦,୦୦୦ ଡଲାରରୁ ହ୍ରାସପାଇ ୭,୭୬୫ ଡଲାର ପାଖାପାଖି ପହଞ୍ଚିଛି। ଚୀନ୍ ଶିଳ୍ପ ବିଶେଷଜ୍ଞମାନଙ୍କର ବିଶ୍ୱାସ ରହିଛି ଯେ, ବିଓ୍ବାଇଡି ଦ୍ୱାରା ମୂଲ୍ୟ ହ୍ରାସ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରେ, କାରଣ ଏହି କମ୍ପାନୀଗୁଡ଼ିକ ମୂଲ୍ୟ ହ୍ରାସ ଯୋଗୁଁ ବର୍ଦ୍ଧିତ କ୍ଷତି ସହି ପାରିବେ ନାହିଁ।
କମ୍ପାନୀଗୁଡ଼ିକୁ ଚେତାବନୀ:
ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍ର ଅଟୋ କ୍ଷେତ୍ରର ଅସ୍ଥିରତା ଆଗାମୀ ଏକ ଭୟଙ୍କର ପରିସ୍ଥିତିକୁ ସୂଚିତ କରୁଛି। ଏହି ପ୍ରକାରର ପ୍ରାଇସ୍ ଓ୍ବାର ନେଟା ଏବଂ ପୋଲଷ୍ଟାର ଭଳି ଷ୍ଟାର୍ଟଅପ୍ ଉପରେ ଚାପ ପକାଇବ, ଯାହା ଦୁର୍ବଳ ହୋଇପାରେ। ଶୁକ୍ରବାର ଦିନ, ଗ୍ରେଟ୍ ୱାଲ୍ ମୋଟର୍ସର ସଭାପତି ୱେଇ ଜିଆନଜୁନ୍ ଏକ ସାକ୍ଷାତକାର ସମୟରେ ଚେତାବନୀ ଦେଇଥିଲେ ଯେ ଚୀନ୍ର ଅଟୋ କ୍ଷେତ୍ରର ଅବସ୍ଥା ଖରାପ। ପ୍ରାଇସ୍ ଓ୍ବାର୍ ଯୋଗୁଁ କମ୍ପାନୀଗୁଡ଼ିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ଚୀନ୍ରେ ଠକେଇ :
ଅଟୋ ଶିଳ୍ପରେ ଉତ୍ତେଜନାର ଆଉ ଏକ କାରଣ ମଧ୍ୟ ରହିଛି। ବର୍ତ୍ତମାନ, ରଏଟର୍ସ ରିପୋର୍ଟ କରିଛି ଯେ ଚୀନ୍ ବାଣିଜ୍ୟ ନିୟାମକ ଶିଳ୍ପରେ ଚାଲିଥିବା ଏକ ଠକେଇର ତଦନ୍ତ କରୁଛନ୍ତି। ପ୍ରକୃତରେ, ଅଟୋ ନିର୍ମାତା ଏବଂ ଡିଲରମାନେ ଲକ୍ଷ୍ୟ ପୂରଣ କରିବା ପାଇଁ ଜାଲିଆତି ଭାବରେ ବିକ୍ରୟ ରେକର୍ଡରେ ନୂଆ କାର ପଞ୍ଜିକରଣ କରୁଛନ୍ତି। ଉଦାହରଣ ସ୍ୱରୂପ, ଅନେକ ଡିଲର ଲକ୍ଷ୍ୟ ପୂରଣ କରିବା ପାଇଁ ପୂର୍ବରୁ ନୂଅ କାର ପଞ୍ଜିକରଣ କରନ୍ତି, ତା’ପରେ ସେହି ବ୍ୟବହୃତ କାରଗୁଡ଼ିକୁ ଗ୍ରାହକମାନଙ୍କୁ ରିହାତି ସହିତ ବିକ୍ରି କରାଯାଏ।
ସେୟାର ବଜାରରେ ହାହାକାର:
ସୋମବାର ଦିନ ହଂକଂ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ବିଓ୍ବାଇଡି କମ୍ପାନୀ ଲିମିଟେଡର ସେୟାର ୮.୬% ହ୍ରାସରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ କିଲି ଅଟୋ ୯.୫% ହ୍ରାସ ପାଇଥିଲା। ନିୟୋ ଏବଂ ଲିପମୋଟୋର ପରି ଅନ୍ୟାନ୍ୟ କମ୍ପାନୀ ୩% ରୁ ୮.୫% ହ୍ରାସ ପାଇ ବନ୍ଦ ହୋଇଥିଲା। ଗତ ଦଶନ୍ଧିରେ, ଚୀନର କାର ବଜାରରେ ଅନେକ ଷ୍ଟାର୍ଟଅପ୍ କମ୍ପାନୀ ଉଭା ହୋଇଛନ୍ତି, ଯାହା ଦ୍ରୁତ ଗତିରେ ବଢୁଥିବା ଇଲେକ୍ଟ୍ରିକ୍ ଯାନ ସେଗମେଣ୍ଟ ଯୋଗୁଁ ଘଟିଛି। କିନ୍ତୁ ବର୍ତ୍ତମାନ ବଜାରରେ ପ୍ରତିଯୋଗିତା ବୃଦ୍ଧି ଯୋଗୁଁ, ପ୍ରାଇସ୍ ଓ୍ବାର ପ୍ରାଧାନ୍ୟ ବିସ୍ତାର କରିଛି। ଏହି କାରଣରୁ, ଅଧିକାଂଶ କମ୍ପାନୀ ବିପୁଳ କ୍ଷତିରେ ଅଛନ୍ତି।
ଅନେକ ଚୀନ୍ କମ୍ପାନୀର ଅବସ୍ଥା ବେହାଲ:
ଗବେଷଣା ସଂସ୍ଥା ଜାଟୋ ଡାଇନାମିକ୍ସ ଅନୁଯାୟୀ, ଆଜି ଚୀନ୍ରେ କାର୍ଯ୍ୟ କରୁଥିବା ୧୬୯ଟି ଅଟୋମେକରଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କର ପାଖରେ ୦.୧% ରୁ କମ୍ ବଜାର ଅଂଶ ରହିଛି। ପୂର୍ବରୁ, କମ୍ପାନୀଗୁଡ଼ିକ ADAS ଭଳି ପ୍ରିମିୟମ୍ ଫିଚର୍ଗୁଡ଼ିକ ପାଇଁ ଅଧିକ ଟଙ୍କା ନେଉଥିଲେ, କିନ୍ତୁ ବର୍ତ୍ତମାନ ଏହି ଫିଚର୍ଗୁଡ଼ିକ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି। ଗତ ସପ୍ତାହରେ, ଚୀନ୍ର ରାଜ୍ୟ ଯୋଜନାକାରୀ ସତର୍କ କରାଇ ଦେଇଥିଲେ ଯେ କିଛି ଶିଳ୍ପରେ ପ୍ରତିଯୋଗିତା ଅତ୍ୟଧିକ ତୀବ୍ର ହେଉଛି। କିଛି କମ୍ପାନୀ ମୂଲ୍ୟଠାରୁ କମ୍ ମୂଲ୍ୟରେ ସେମାନଙ୍କର କାର ବିକ୍ରି କରୁଛନ୍ତି। ନିରପେକ୍ଷ ପ୍ରତିଯୋଗିତା ଶେଷ ହେବାକୁ ଯାଉଛି।
ଭାରତକୁ ଫାଇଦା କ'ଣ?
ଚୀନ୍ରେ ପ୍ରତିଯୋଗିତା ଏବଂ କ୍ଷତି ଯୋଗୁଁ, କିଛି ବିଦେଶୀ କମ୍ପାନୀ ଚୀନ୍ ବାହାରେ ବିକଳ୍ପ ବଜାର ଖୋଜୁଛନ୍ତି। ଭାରତ ଏକ ବଡ଼ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ଅଟୋ ବଜାର, ଯେଉଁଠାରେ ଶସ୍ତା ଶ୍ରମ, ସରକାରୀ ସମର୍ଥନ ଏବଂ ସ୍ଥିର ଚାହିଦା ଭଳି ସୁବିଧା ଉପଲବ୍ଧ। ଏପରି ପରିସ୍ଥିତିରେ, କମ୍ପାନୀଗୁଡ଼ିକ ଭାରତରେ ଏକ ନୂଆ ଉତ୍ପାଦନ କେନ୍ଦ୍ର କିମ୍ବା ରପ୍ତାନି ଆଧାର ସ୍ଥାପନ କରିପାରିବେ। ଏହା ବ୍ୟତୀତ, ଯଦି ଚୀନ୍ରେ ମୂଲ୍ୟ ଯୁଦ୍ଧ ଯୋଗୁଁ ଉତ୍ପାଦନ ହ୍ରାସ ପାଏ, ତେବେ ଅନ୍ତର୍ଜାତୀୟ ବଜାରରେ ଚୀନ୍ ଯୋଗାଣକାରୀଙ୍କ ଦଖଲ ଦୁର୍ବଳ ହୋଇପାରେ। ଏହା ଯୋଗୁଁ, ଭାରତୀୟ ଅଟୋ ପାର୍ଟସ୍ କମ୍ପାନୀ ଏବଂ ଇଭି କମ୍ପୋନେଣ୍ଟ ନିର୍ମାତାମାନଙ୍କୁ ନୂଆ ବଜାର ମିଳିପାରିବ।