ନୂଆଦିଲ୍ଲୀ: ଚୀନ୍ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଡୁଥିବା ଉତ୍ତେଜନାକୁ ନିକଟରୁ ନିରୀକ୍ଷଣ କରୁଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ଅଭିଯୋଗ ଆଣିଛି। ଏହା ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଛି।
ଚୀନ୍ ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, "ଆମେ ଏହି ପରିସ୍ଥିତି ଉପରେ ଅତି ନିକଟରୁ ନଜର ରଖିଛୁ। ଆମେ ଉଭୟ ପକ୍ଷଙ୍କୁ ସଂଯମ ଅବଲମ୍ବନ କରିବାକୁ ଏବଂ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ କରିବାକୁ ଆହ୍ବାନ ଦେଉଛୁ।" ତେବେ ସବୁଠୁ ବଡ କଥା ହେଉଛି ପାକିସ୍ତାନ ଦାବି ମୁତାବକ ଚୀନ୍ ଏକ ନିରପେକ୍ଷ ତଦନ୍ତକୁ ସମର୍ଥନ କରୁଛି ବୋଲି କହିଛି।
ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ, ଓ୍ଵାଘା-ଅଟାରୀ ସୀମାକୁ ବନ୍ଦ କରିବା ଓ ପାକିସ୍ତାନ ସହ କୂଟନୈତିକ ସମ୍ପର୍କକୁ ଛିନ୍ନ କରିଛି ଭାରତ। ପାକିସ୍ତାନ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ନେଇ ଭାରତୀୟ ନାଗରିକଙ୍କ ଭିସା ବାତିଲ, ବାଣିଜ୍ୟ ବନ୍ଦ ଏବଂ ନିଜ ଆକାଶ ପଥକୁ ଭାରତୀୟ ବିମାନ ପାଇଁ ବନ୍ଦ କରିଛି।
ଏହି ଘଟଣା ପରେ ପାକିସ୍ତାନ ଚୀନ୍ ଓ ରୁଷିଆର ସମର୍ଥନ ଖୋଜୁଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ୍ ଏକ ଅନ୍ତର୍ଜାତୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଯେଉଁଥିରେ ଚୀନ୍ ଓ ରୁଷିଆ ମଧ୍ୟ ସାମିଲ ହେବାର ଯୋଜନା ରହିଛି। ଅନ୍ୟପକ୍ଷେ, ଭାରତ ଏହି ଆକ୍ରମଣକୁ "ସୀମାପାର ଆତଙ୍କବାଦ" ସହ ଜଡ଼ିତ ବୋଲି କହିବା ସହ ଏହାର କଡ଼ା ଜବାବ ଦେବାକୁ ପ୍ରତିଶ୍ରୁତି ଦେଇଛି।
ଏହି ଉତ୍ତେଜନା ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ସାମରିକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ଇରାନ ଓ ସାଉଦି ଆରବ ଉତ୍ତେଜନା ହ୍ରାସ ପାଇଁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କୌଣସି ତୃତୀୟ ପକ୍ଷ ଦେଶର ମଧ୍ୟସ୍ଥତା ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଏହି ମାମଲାରେ ଚୀନ୍ ନିରପେକ୍ଷ ଅବସ୍ଥାନ ନେବ ବୋଲି କହିବା ସତ୍ତ୍ଵେ ପାକିସ୍ତାନକୁ କୂଟନୈତିକ ସମର୍ଥନ ଦେବା ଜାରି ରଖିଛି। ଚୀନ୍ ର ଏହି ଦୋମୁହାଁ ନୀତି ଏହି ପରିସ୍ଥିତିକୁ ଆହୁରି ଜଟିଳ କରୁଛି।
ଆନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି। କାରଣ ଏହା ଦକ୍ଷିଣ ଏସିଆରେ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇପାରେ।