ନୂଆଦିଲ୍ଳୀ,୧୫।୬:  ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ଟେକ୍ନୋଲୋଜିର କମର୍ସିଆଲ ଦୌଡ଼ରେ ଚୀନ୍ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କୁ ଦେଇଛି ଶକ୍ତ ଝଟକା। ମସ୍କଙ୍କ ‘ଯୀଶସ୍-ଲେବଲ ଟେକ୍ନୋଲୋଜି’ ଗ୍ରହଣ କରୁଥିବା ନ୍ୟୁରାଲିଙ୍କକୁ ଚୀନ୍ ପଛରେ ପକାଇ ଦେଇଛି। ସଫଳ କ୍ଲିନିକାଲ୍ ପରୀକ୍ଷଣ ପରେ ଚୀନ୍ ବିଶେଷଜ୍ଞମାନେ ବିଶ୍ୱର ପ୍ରଥମ କମର୍ସିଆଲ ବ୍ରେନ୍ ଚିପ୍କୁ ମଞ୍ଜୁରୀ ଦେଇଛନ୍ତି। NEO ନାମକ ଏହି ମୁଦ୍ରା ଆକାରର ଇମ୍ପ୍ଲାଣ୍ଟ, ବାଣିଜ୍ୟିକ ବ୍ୟବହାର ପାଇଁ କ୍ଲିନିକାଲ୍ ଟେଷ୍ଟିଂ ପାସ୍ କରିଥିବା ପ୍ରଥମ ସର୍ଜିକାଲ ଇମ୍ପ୍ଲାଣ୍ଟ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ଡିଭାଇସ୍ ପାଲଟିଛି। ବର୍ତ୍ତମାନ ୧୧ ଜଣଙ୍କ ଉପରେ ଏହାର ଟେଷ୍ଟ ଚାଲିଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ବେଜିଂର ସିଂଘୁଆ ୟୁନିଭର୍ସିଟି ଓ ସାଂଘାଇର ନ୍ୟୁରାକଲ୍ ଟେକ୍ନୋଲୋଜିର ରିସର୍ଚ୍ଚର ଏହି ‘NEO’ ଡିଭାଇସ୍ ତିଆରି କରିଛନ୍ତି। NEO ର ପ୍ରଥମ ଭର୍ସନ ମେରୁଦଣ୍ଡ ଆଘାତ ଏବଂ ପକ୍ଷାଘାତ ରୋଗୀଙ୍କୁ ସେମାନଙ୍କ ସ୍ନାୟୁ ପ୍ରଣାଳୀର କିଛି ଅଂଶ ଉପରେ ନିୟନ୍ତ୍ରଣ ଫେରିପାଇବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି। ମୁଦ୍ରା ଆକାରର ଏହି ଇମ୍ପ୍ଲାଣ୍ଟ ବିଶ୍ୱର ପ୍ରଥମ ଅସ୍ତ୍ରୋପଚାର ଦ୍ୱାରା ପ୍ରତିରୋପିତ BCI ଡିଭାଇସ୍ ହୋଇଛି ଯାହା ବାଣିଜ୍ୟିକ ବ୍ୟବହାର ପାଇଁ କ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି।

ମସ୍କଙ୍କ କମ୍ପାନୀଙ୍କୁ ମିଳିନି ମଞ୍ଜୁରୀ

ଗବେଷକ, ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ନିବେଶକମାନେ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସକୁ ମଣିଷ ସହ ଯୋଗାଯୋଗ କରିବାରେ ବହୁତ ବଡ ପରିବର୍ତ୍ତନ ଭାବରେ ଦେଖୁଛନ୍ତି। ଏହି ଡେଭଲପମେଣ୍ଟ ଏଭଳି ସମୟରେ ହୋଇଛି ଯେତେବେଳେ ମସ୍କଙ୍କ ନ୍ୟୁରାଲିଙ୍କ୍ ଆମେରିକାରେ ମାନବ ପରୀକ୍ଷଣ କରୁଛି କିନ୍ତୁ ଏପର୍ଯ୍ୟନ୍ତ କମର୍ସିଆଲ ବ୍ୟବହାର ପାଇଁ ରେଗୁଲେଟରୀରୁ ମଞ୍ଜୁରୀ ମିଳିନି। ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ ମସ୍ତିଷ୍କରୁ ସିଗନାଲଗୁଡ଼ିକୁ ଡିଜିଟାଲ୍ କମାଣ୍ଡରେ ରୂପାନ୍ତରିତ କରେ ଯାହା କମ୍ପ୍ୟୁଟର, ଡିଭାଇସ୍ କିମ୍ବା ପ୍ରୋସ୍ଥେଟିକ୍ସକୁ ନିୟନ୍ତ୍ରଣ କରିପାରିବ। ମସ୍କ ଏହି ଟେକ୍ନୋଲୋଜି ଜୀବନ ପରିବର୍ତ୍ତନକାରୀ ସମ୍ଭାବନା ବିଷୟରେ ବାରମ୍ବାର କହିଛନ୍ତି। ‘ନ୍ୟୁରାଲିଙ୍କ’ କହିଛି ଯେ ଏହାର ଇମ୍ପ୍ଲାଣ୍ଟ ଦ୍ବାରା ଭବିଷ୍ୟତର ବ୍ୟବହାରକାରୀଙ୍କୁ ସେମାନଙ୍କ ଚିନ୍ତାଧାରା ବ୍ୟବହାର କରି ଟାଇପ୍ ଏବଂ ଡିଭାଇସ୍ ଚଳାଇ ପାରିବେ।

ଚୀନ୍‌ର ‘ନିଓ’ ଏବଂ  ମସ୍କଙ୍କ  ‘ନ୍ୟୁରାଲିଙ୍କ’

ବିଶେଷଜ୍ଞଙ୍କ ମତରେ ଚୀନ୍‌ରେ ଦୃତ ଗତିରେ ବଢିବାର ଏକ କାରଣ ହେଉଛି ‘ନିଓ’ ଇମ୍ପ୍ଲାଣ୍ଟର ଡିଜାଇନ୍। ନ୍ୟୁରାଲିଙ୍କର ଏନ୍୧ ଡିଭାଇସ୍‌ରେ ଇଲେକ୍ଟ୍ରୋଡ୍‌କୁ ମସ୍ତିଷ୍କର ସେରେବ୍ରଲ କର୍ଟେକ୍ସରେ ପକାଇବାକୁ ପଡିଥାଏ। ସେଭଳି ନିଓକୁ ଖପୁରୀ ଓ ମସ୍ତିସ୍କ ଭିତରେ ଫିଟ୍ ହେବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ୮ଟି ସେନ୍ସର ଡ୍ୟୁରା ମେଟର (ମସ୍ତିଷ୍କର ସୁରକ୍ଷା କରୁଥିବା ବାହ୍ୟ ଝିଲି) ଆଖ ପାଖରେ ଲଗାଯାଏ। ଏହି ଇମ୍ପ୍ଲାଣ୍ଟ ମସ୍ତିଷ୍କର ସିଗନାଲକୁ ଧରି ପାଖରେ ଥିବା କମ୍ପ୍ୟୁଟରକୁ ପଠାଇଥାଏ, ଯେଉଁଠି ତାଙ୍କର ଡିଜିଟାଲ କମାଣ୍ଡ ବଦଳିଯାଏ। ଚୀନ୍ ୩୬ ରୋଗୀଙ୍କ ଉପରେ ଏହି ଡିଭାଇସ୍ ଟେଷ୍ଟ କରିଛି ଓ ଭଲ ଫଳ ମିଳିଛି। ରିସର୍ଚ୍ଚରଙ୍କ ମତରେ ମିନିମାଲି ଇନଭୋସିଭ୍ (ଶରୀରରେ କମ୍ କ୍ଷତ) ପଦ୍ଧତିରେ ବ୍ରେନ୍‌ର ଇମ୍ପ୍ଲାଣ୍ଟ ସହିତ ଜଡିତ ପାରମ୍ପରିକ ଚିକିତ୍ସା ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ।

 କେଉଁ ଲୋକଙ୍କୁ ମିଳିବ ସାହାଯ୍ୟ ?

ବିଶେଷଜ୍ଞଙ୍କ ମତରେ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ସ୍ନାୟୁ ରୋଗରେ ପୀଡିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁନ୍ଦର କରିପାରିବ। ଏହା ବିଶେଷକରି ସେହି ଲୋକଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଚଲାବୁଲା ଏବଂ କଥା ହେବାରେ ଅକ୍ଷମତା ଅନୁଭବ କରନ୍ତି। ଏଗୁଡ଼ିକର ବ୍ୟବହାର ପକ୍ଷାଘାତ ଏବଂ ମେରୁଦଣ୍ଡ ଆଘାତ ବ୍ୟତୀତ ପାର୍କିନ୍ସନ୍ ରୋଗ, ଅପସ୍ମାର, ଷ୍ଟ୍ରୋକ୍ ଏବଂ ଡିପ୍ରେସନ୍ ଭଳି ରୋଗୀଙ୍କ ପାଇଁ ବରଦାନ ସାଜିପାରେ।

ଏହି ନୂଆ ଟେକ୍ନୋଲୋଜି ଉପରେ ରିସର୍ଚ୍ଚର ଚେତାବନୀ ଦେଇଛନ୍ତି ଯେ ମସ୍ତିଷ୍କ ପ୍ରତିରୋପଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ବାୟୋଲୋଜିକାଲ ଚ୍ୟାଲେଞ୍ଜ ପାଲଟିଛି, ଯାହା ଅନେକ କ୍ଷେତ୍ରରେ ଭୟଙ୍କର। ‘ନ୍ୟୁରାଲିଙ୍କ୍’ ର N1 ପ୍ରତିରୋପଣ ବର୍ତ୍ତମାନ ୯ ଜଣ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ, ଅଡ୍ରେ କ୍ରୁଜ୍, ଏହି ଯାତ୍ରାକୁ ଖୁବ୍ ସୁନ୍ଦର ଓ ଭବିଷ୍ୟତରେ ଅଧିକ ଆଶାଜନକ ବୋଲି କହିଛନ୍ତି। ସେ କହିଛନ୍ତି, ୨୦ ବର୍ଷରେ ପ୍ରଥମ ଥର ମୁଁ ନିଜର ନାଁ ଲେଖିବାକୁ ଚେଷ୍ଟା କରିଛନ୍ତି।