ନୂଆଦିଲ୍ଲୀ: ଚୀନର ହୁନାନ ପ୍ରଦେଶର ପିଙ୍ଗଜିଆଙ୍ଗ କାଉଣ୍ଟି ଅଞ୍ଚଳରେ ଭୂତତ୍ତ୍ୱବିତ୍ମାନେ ଏକ ବିଶାଳ ସୁନା ଖଣି ଆବିଷ୍କାର କରିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୭୮ ବିଲିୟନ ୟୁରୋ (୬୦୦ ବିଲିୟନ ୟୁଆନ) ବୋଲି ଆକଳନ କରାଯାଇଛି। ଏହି ନୂତନ ଖଣିଟି ଓ୍ଵାଙ୍ଗୁ ସୁନା କ୍ଷେତ୍ରରେ ଅବସ୍ଥିତ ଓ ଏହି ଖଣିରେ ପ୍ରାୟ ଏକ ହଜାର ମେଟ୍ରିକ ଟନରୁ ଅଧିକ ସୁନା ରହିଥିବା ଅନୁମାନ କରାଯାଉଛି। ଯାହା ଏହାକୁ ବିଶ୍ୱର ସର୍ବବୃହତ ସୁନା ଖଣି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି ବୋଲି ଅଶା କରାଯାଉଛି।

ହୁନାନ ପ୍ରଦେଶର ଭୂତତ୍ତ୍ୱ ବିଭାଗ ଅନୁସାରେ, ଭୂ-ପୃଷ୍ଟରୁ ପ୍ରାୟ ୨,୦୦୦ ମିଟର ଗଭୀରତାରେ ୪୦ରୁ ଅଧିକ ସୁନା ସ୍ରୋତର ଚିହ୍ନଟ କରାଯାଇଛି। ଯେଉଁଥିରେ ପ୍ରାୟ ୩୦୦ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି ବୋଲି ଆଶା କରାଯାଉଥିଲା। ତେବେ, ୩,୦୦୦ ମିଟର ଗଭୀରତାରେ ଆହୁରି ଅଧିକ ଅନୁସନ୍ଧାନ କରାଯିବା ପରେ ଏହାର ମୋଟ ସଂରକ୍ଷଣ ୧,୦୦୦ ମେଟ୍ରିକ ଟନରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ଚୀନର ରାଷ୍ଟ୍ରୀୟ ଗଣମାଧ୍ୟମ ଅନୁସାରେ, ଏହି ଖଣିରୁ ଉତ୍ତୋଳିତ ଅନେକ ପଥର ନମୁନାରେ ଦୃଶ୍ୟମାନ ସୁନା କଣିକା ଦୃଷ୍ଟିଗୋଚର ହୋଇଛି। ଯାହା ଏହାର ଉଚ୍ଚ ଗୁଣବତ୍ତାକୁ ପ୍ରତିପାଦିତ କରୁଛି ବୋଲି ଭୂତତ୍ତ୍ୱବିଦ୍ ମାନେ ସୂଚନା ଦେଇଛନ୍ତି। କେତେକ ନମୁନାରେ ପ୍ରତି ମେଟ୍ରିକ ଟନ ପଥରରେ ୧୩୮ ଗ୍ରାମ ପର୍ଯ୍ୟନ୍ତ ସୁନା ମିଳିଛି। ଯେଉଁଥି ପାଇଁ ଏହି ନୂତନ ଖଣି ଦେଶକୁ ଅତ୍ୟନ୍ତ ଲାଭ ଦେବ ବୋଲି ଚାଇନା ସରକାର ଆଶାବ୍ୟକ୍ତ କରିଛନ୍ତି।

ଏହି ଆବିଷ୍କାର ଚୀନର ସୁନା ଶିଳ୍ପକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିବା ସହ ବିଶ୍ୱ ଖଣିଜ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏହା ହୁନାନ ପ୍ରଦେଶକୁ ବିଶ୍ୱ ସୁନା ବଜାରରେ ଏକ ପ୍ରମୁଖ ବଜାର ଭାବେ ପ୍ରତିଷ୍ଠା କରିବା ସହ ହଜାର ହଜାର ନୂଆ ଚାକିରି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଖଣିଜ ଶୋଧନ ଓ ପରିବହନ ଶିଳ୍ପରେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି।
ତେବେ, ଏହି ବୃହତ୍ ଖଣିରୁ ସୁନା ଉତ୍ତୋଳନ କରାଗଲେ ଏହା ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇବ। ବିଶେଷଜ୍ଞମାନେ ମୃତ୍ତିକା କ୍ଷୟ, ଜଳ ସଂରକ୍ଷଣ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ଦାୟୀତ୍ୱପୂର୍ଣ୍ଣ ଖଣିକର୍ମ ଅଭ୍ୟାସର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଏହି ଆବିଷ୍କାର କେବଳ ଚୀନ ପାଇଁ ନୁହେଁ, ବରଂ ବିଶ୍ୱବ୍ୟାପୀ ଖଣିଜ ଶିଳ୍ପ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଚି କରିଛି।