ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ କୁ ତୀବ୍ର ସମାଲୋଚନା କରିଛନ୍ତି। ସୂଚନା ମୁତାବକ, ଚୀନ୍‌ ସରକାର ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବା ନିଷ୍ପତ୍ତି ନେଇଛନ୍ତି। ଯାହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ଜଟିଳ କରିଛି। ଏହି ନୂଆ ଶୁଳ୍କ ଏପ୍ରିଲ୍‌ ୧୦ରୁ କାର୍ଯ୍ୟକାରୀ ହେବ ବୋଲି ଚୀନ୍‌ ଆଧିକାରିକ ସ୍ତରରେ ଘୋଷଣା କରିଛି। 

ଟ୍ରମ୍ପ କହିଛନ୍ତି, "ଚୀନ୍‌ ଭୁଲ୍‌ ଖେଳ ଖେଳିଛି, ସେମାନେ ଆମ ନିଷ୍ପତ୍ତିରେ ଆତଙ୍କିତ ହୋଇ ଯାଇଛନ୍ତି। କିନ୍ତୁ ତାଙ୍କର ଏପରି କରିବା ଉଚିତ୍‌ ନୁହେଁ।" ଏହା ପୂର୍ବରୁ ଟ୍ରମ୍ପ ନିଜେ ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିଲେ, ଯାହା ତାଙ୍କର "ଲିବରେସନ୍‌ ଡେ" ଏଜେଣ୍ଡାର ଏକ ଅଂଶ ଥିଲା। ଏହାର ଜବାବରେ ଚୀନ୍‌ ଏହି ପଦକ୍ଷେପ ନେଇଛି ବୋଲି ଚୀନ୍‌ର ଅର୍ଥ ମନ୍ତ୍ରଣାଳୟ କହିଛି। 

ଏହି ଘଟଣା ବିଶ୍ୱର ଦୁଇ ପ୍ରମୁଖ ଅର୍ଥନୌତିକ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି। ଟ୍ରମ୍ପ ପ୍ରଶାସନ ଏହା ପୂର୍ବରୁ ଚୀନ୍‌ ସାମଗ୍ରୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇଥିଲା। ତେବେ ବୁଧବାର ଦିନ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଏଥିରେ ଯୋଗ କରାଯାଇଥିଲା। ଏହା ଦ୍ଵାରା ଉଭୟ ଦେଶ ମଧ୍ୟରେ ହେଉଥିବା ବିଲିୟନ୍‌ ଡଲାରର ବାଣିଜ୍ୟ ପ୍ରଭାବିତ ହୋଇଛି। 

ଚୀନ୍‌ର ଏହି ପଦକ୍ଷେପକୁ ଟ୍ରମ୍ପ ଅତ୍ୟଧିକ ପ୍ରତିକ୍ରିୟା ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଚୀନ୍‌ର ଆର୍ଥିକ ସ୍ଥିତି ପାଇଁ କ୍ଷତିକାରକ ହେବ। କାରଣ ଚୀନ ପାଖରେ ଏପରି ପଦକ୍ଷେପ ନେବାର ସାମର୍ଥ୍ୟ ନାହିଁ। ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ବିଶ୍ଵ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଛି, ଏବଂ ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। 

ଏହାର ପରିଣାମ ସ୍ଵରୂପ, ବିଶ୍ଵସ୍ତରୀୟ ବଜାରରେ ଅନିଶ୍ଚିତତା ଦେଖାଦେଇଛି। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଏହି ଶୁଳ୍କ ଯୁଦ୍ଧ ଆଗାମୀ ଦିନରେ ଆହୁରି ତୀବ୍ର ହୋଇପାରେ। ଯାହା ଉଭୟ ଦେଶର ଅର୍ଥନୀତି ସହିତ ବିଶ୍ଵ ବଜାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ।