ନୂଆଦିଲ୍ଲୀ: ଶ୍ରୀଲଙ୍କା-ଏ ବିପକ୍ଷ ଫାଇନାଲ ମୁକାବିଲାରେ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ପଛର ସତ । ଫାଇନାଲରେ ବୈଭବ ୨୯ ବଲରୁ ୯୪ ରନର ବିଧ୍ବଂସୀ ପାଳି ଖେଳିଥିଲେ । ଯାହାକି ଭାରତ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଫାଇନାଲରେ ଦମଦାର ପାଳି ପାଇଁ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ତେବେ ପ୍ରଥମ ୪ ମ୍ୟାଚରେ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିବା ବୈଭବଙ୍କ ବ୍ୟାଟ୍ ଫାଇନାଲରେ ଗର୍ଜିବା ପଛରେ ରହିଛି ଏକ ବଡ଼ କାରଣ । ପ୍ରଶିକ୍ଷକଙ୍କ କିଛି କଥା ବଦଳାଇଥିଲା ବୈଭବଙ୍କ ବ୍ୟାଟିଂ ଅନ୍ଦାଜ ।
ଆଇପିଏଲରେ କମାଲ ବ୍ୟାଟିଂ କରିଥିବା ବୈଭବଙ୍କ ବ୍ୟାଟ୍ କିନ୍ତୁ ଶ୍ରୀଲଙ୍କାରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜେର ଶାନ୍ତ ରହିଥିଲା । ସେ ୪ ମ୍ୟାଚରେ ମାତ୍ର ୧୧୭ ରନ୍ କରିଥିବାବେଳେ ଷ୍ଟ୍ରାଇକ୍ ରେଟ୍ ୧୫୦ରୁ କମ୍ ରହିଥିଲା । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିବା ବୈଭବଙ୍କ ଧିମା ବ୍ୟାଟିଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଉ ଟିମର ପ୍ରଶିକ୍ଷକ ହୃଷିକେଶ ଫାଇନାଲ ମୁକାବିଲା ପୂର୍ବରୁ ବୈଭବଙ୍କୁ ପାଖକୁ ଡାକିଥିଲେ ଆଉ କହିଥିଲେ ସାରା ବିଶ୍ବ ତୁମର ପ୍ରତ୍ୟେକ ମ୍ୟାଚରେ ଚମତ୍କାର ଆଶ ରଖିଛନ୍ତି । ବିଶ୍ବାସ ତୁମର କଠିନ ଯୁଦ୍ଧ ପଡ଼ିଆରେ ନୁହେଁ ବରଂ ମନ ଭିତରେ ରହିବା ଜରୁରୀ ବୋଲି କହିଥିଲେ । ଏହାସହ ସେ ଗୋଟିଏ ଧାଡ଼ିରେ କହିଥିଲେ କି, ତୁମେ ତୁମର ସ୍ବାଭାବିକ ଖେଳ ଖେଳ... ଅଧିକ ଚିନ୍ତା କର ନାହିଁ ।
ପ୍ରଶିକ୍ଷକଙ୍କ ଏହି ଗୋଟିଏ ପରାମର୍ଶ ପରେ ବୈଭବଙ୍କ ଚମତ୍କାର ବ୍ୟାଟିଂ ଫାଇନାଲରେ ଦେଖିବାକୁ ମିଳିଥିଲା । ସେ ୨୯ ବଲରୁ ୯୪ ରନ୍ କରିଥିଲେ । ଯେଉଁଥିରେ ୧୦ ଚୌକା ଏବଂ ୮ ଛକା ରହିଥିଲା । ୩୨୪.୧୪ ଷ୍ଟ୍ରାଇକ୍ ରେଟରେ ଖେଳିଥିଲେ ବୈଭବ । ତାଙ୍କର ଏଭଳି ଦମଦାର ପ୍ରଦର୍ଶନ ପାଇଁ ସବୁଠି ପ୍ରଶଂସା କରାଯାଇଥିବାବେଳେ ଆଗାମୀ ମ୍ୟାଚ ଗୁଡ଼ିକରେ ଦମଦାର ପ୍ରଦର୍ଶନ କରିବେ ବୋଲି କୁହାଯାଉଛି । ସେପଟେ ପ୍ରଶିକ୍ଷକଙ୍କ ଏଭଳି ଏକ ଶବ୍ଦ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିବା ମଧ୍ୟ କୁହାଯାଉଛି । ଯଦିଓ ସେ ଶତକ ହାସଲରୁ ମାତ୍ର ୬ ରନ୍ ଦୂରରେ ରହିଲେ ତଥାପି ଏହି ପାଳି ସବୁଦିନ ପାଇଁ ମନେ ରହିବ ନିଶ୍ଚୟ ।
ଏହାସହ ପଢ଼ନ୍ତୁ: IND A vs SL A Final: ଶ୍ରୀଲଙ୍କାକୁ ହରାଇ ଟ୍ରାଇ ସିରିଜ କବ୍ଜା କଲା ଭାରତ, ବୈଭବ ବିଜୟର ହିରୋ