ନୂଆଦିଲ୍ଲୀ,୨୨।୩: ଭାରତ ଏବଂ ଆମେରିକା ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA)କୁ ଆଗକୁ ବଢ଼ାଇବା ପାଇଁ ଆଲୋଚନାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ସୋମବାର କହିଛନ୍ତି ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିଅର୍ ନୂଆଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିବେ। ଏହି ବୈଠକର ଉଦେଶ୍ୟ ଆସନ୍ତା ମାସରୁ ଲାଗୁ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଟାରିଫ୍ ସମୟସୀମା ପୂର୍ବରୁ ଏକ ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସର୍ଗିଓ ଗୋର୍ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ନୂଆଦିଲ୍ଳୀରେ ରାଷ୍ଟ୍ରଦୂତ ଗ୍ରୀରଙ୍କ ସ୍ବାଗତ କରିବାକୁ ଉତ୍ସାହିତ ଅଛି। ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ସଚିବ ପୀୟୁଷ ଗୋୟଲଙ୍କ ସହ ଏକ ସିରିଜ ବୈଠକ ସ୍ଥିର ହୋଇଛି। ଗ୍ରିୟରଙ୍କ ଗୋୟଲଙ୍କ ସହ ଆଲୋଚନା ଏପରି ସମୟରେ ହୋଇଛି ଯେତେବେଳେ ଦୁଇ ଦେଶ ଆସନ୍ତା ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଳ୍କ ସମୟସୀମା ପୂର୍ବରୁ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ପାଇଁ ଢାଞ୍ଚା ଚୂଡ଼ାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ମନ୍ତ୍ରୀସ୍ତରୀୟ ବୈଠକ ଭାରତ ଏବଂ ଆମେରିକା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଚାଲିଥିବା ଆଲୋଚନାର ଏକ ଅଂଶ। ଏହା ବିଶ୍ୱାସ କରାଯାଉଛି ଯେ ଏହି ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ଭବିଷ୍ୟତରେ ଏକ ବ୍ୟାପକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ପଥ ପ୍ରଶସ୍ତ କରିବ। ଗତ ରବିବାର, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଥିଲେ ଯେ ତାଙ୍କର ଆମେରିକୀୟ ପ୍ରତିପକ୍ଷ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ନୂଆଦିଲ୍ଲୀ ଆସୁଛନ୍ତି।’ ଚଳିତ ମାସ ଆରମ୍ଭରେ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଥିଲେ ଦୁଇ ଦେଶ ମଧ୍ୟରେ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେବ ଢାଞ୍ଚା ଚୁକ୍ତିକୁ ଚୂଡ଼ାନ୍ତ କରିବା ଏବଂ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ଆଗକୁ ବଢାଇବା। ପୀୟୁଷ ଗୋୟଲ ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ସହିତ ଜଡିତ ସମସ୍ତ ବାକି ଥିବା ପ୍ରସଙ୍ଗର ସମାଧାନ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ BTAର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ ମଧ୍ୟଭାଗ ସୁଦ୍ଧା ଶେଷ ହୋଇପାରିବ।

ଆହୁରି ପଢନ୍ତୁ : ୩୦ ଜୁନ୍‌ରୁ କୈଳାସ ମାନସରୋବର ଯାତ୍ରା, MEA ଜାରି କଲା ଗାଇଡଲାଇନ୍