ନୂଆଦିଲ୍ଲୀ,୨୦/୧୨: ମହାକାଶ ଯାତ୍ରା ଇତିହାସରେ ଚୀନ୍ର ଦୁଇଜଣ ମହାକାଶଚାରୀ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଚୀନ୍ର ୩ ଜଣିଆ ଶେନ୍ଝୋ-୧୯ ମିଶନରେ ଥିବା ଦୁଇଜଣ ମହାକାଶଚାରୀ କେ ଜୁଜେ ଓ ସୋଙ୍ଗ୍ ଲିଙ୍ଗ୍ଡଙ୍ଗ୍ ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ସ୍ପେସ୍ୱାକ୍ କରିଛନ୍ତି । ଦେଶର ତିଆଙ୍ଗୋଙ୍ଗ୍ ମହାକାଶ କେନ୍ଦ୍ର ବାହାରେ ସର୍ବାଧିକ ସମୟ ସ୍ପେସ୍ୱାକ୍ କରି ସେମାନେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି । ଗତ ବିଳମ୍ବିତ ସୋମବାର (ଡିସେମ୍ବର ୧୬)ରୁ ମଙ୍ଗଳବାର ସକାଳ (ଡିସେମ୍ବର ୧୭) ମଧ୍ୟରେ ସ୍ପେସ୍ୱାକ୍ କରି ଦୁହେଁ ନୂଆ ଇତିହାସ ରଚିଛନ୍ତି । ନାସା ଅନୁସାରେ, ଏହା ଜରିଆରେ ଚୀନ୍ ପୂର୍ବର ୮ ଘଣ୍ଟା ୫୬ ମିନିଟ୍ର ସ୍ପେସ୍ୱାର୍କ ରେକର୍ଡ ଭାଙ୍ଗିଛି ।
୨୦୦୧ ମସିହା, ମାର୍ଚ୍ଚରେ ନାସା ମହାକାଶଚାରୀ ଜେମ୍ସ ଭୋସ୍ ଓ ସୁସାନ ହେଲ୍ମ୍ସ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ୍ୱାକ୍ କରି ବିଶ୍ୱ ରେକର୍ଡ କରିଥିଲେ । ତେବେ ଚଳିତ ସପ୍ତାହର ସ୍ପେସ୍ୱାକ୍ ଶେନ୍ଝୋ-୧୯ ମିଶନ୍ ପାଇଁ ପ୍ରଥମ ଥିଲା । ଗତ ଅକ୍ଟୋବର ୨୯ ତାରିଖରେ ୬ ମାସିଆ ରହଣି ଲାଗି ଏହି ମିଶନ ତିଆଙ୍ଗୋଙ୍ଗ୍ ସ୍ପେସ୍ ଷ୍ଟେସନ୍ରେ ପହଞ୍ଚିଥିଲା । କେ ଓ ସୋଙ୍ଗ୍ ସ୍ପେସ୍ୱାକ୍ କରିଥିବାବେଳେ ସାଥୀ ୱାଙ୍ଗ୍ ହାଓଜଙ୍କ ମହାକାଶ କେନ୍ଦ୍ର ଭିତରେ ଥିଲେ । ମହାକାଶ କେନ୍ଦ୍ରର ରୋବୋଟିକ୍ ଆର୍ମ ସାହାଯ୍ୟରେ ପୃଥିବୀରୁ ମିଶନ ପରିଚାଳନା କରୁଥିବା ବୈଜ୍ଞାନିକମାନେ ମହାକାଶ କେନ୍ଦ୍ରର ସ୍ପେସ୍ ଡେବ୍ରିସ ପ୍ରୋଟେକ୍ସନ୍ ଡିଭାଇସ୍ ଲଗାଇଥିଲେ । ସ୍ପେସ୍ୱାକ୍ ସରଞ୍ଜାମ ଓ ସୁବିଧାଗୁଡ଼ିକର ନିରୀକ୍ଷଣ ଓ ସମସ୍ୟାର ସମାଧାନ ସମେତ ଅନ୍ୟ କାମ କରିଥିଲେ । ଏହି ସ୍ପେସ୍ୱାକ୍ ଚୀନ୍ ପାଇଁ ବଡ଼ ସଫଳତା । ୯୦ ଦଶକରେ ଜନ୍ମିତ ୩୪ ବର୍ଷୀୟ ସୋଙ୍ଗ୍ ଚୀନ୍ର ପ୍ରଥମ ବ୍ୟକ୍ତି ହୋଇଛନ୍ତି, ଯିଏକି ମହାକାଶ କେନ୍ଦ୍ର ବାହାରେ ସ୍ପେସ୍ୱାକ୍ କରିଛନ୍ତି । ଶେନଝୋ-୧୯ କମାଣ୍ଡର କେ ତିଆଙ୍ଗୋଙ୍ଗ୍ ୱେନ୍ଟିଆନ ମଡ୍ୟୁଲରୁ ବାହାରି ଥିଲେ । ଏହାର ୯୦ ମିନିଟ୍ରୁ ଅଧିକ ସମୟ ପରେ ସୋଙ୍ଗ୍ ସମାନ କାମ କଲେ । ଦୁହେଁ ମଙ୍ଗଳବାର ମହାକାଶ କେନ୍ଦ୍ର ଭିତରେ ପ୍ରବେଶ କଲେ । ଇତିମଧ୍ୟରେ ସେମାନଙ୍କ ସ୍ପେସ୍ୱାକ୍ ୯ ଘଣ୍ଟା ୬ ମିନିଟ୍ର ଥିଲା, ଯାହା ପୁରୁଣା ରେକର୍ଡଠୁ ୧୦ ମିନିଟ୍ ଅଧିକ ।