ନୂଆଦିଲ୍ଲୀ,୯।୧: ଚୀନ୍‌ର ଏକ କମ୍ପାନୀକୁ ସୋସିଆଲ ମିଡିଆରେ ହେଉଛି ଜୋରଦାର ବିରୋଧ। କାରଣ କମ୍ପାନୀର ଜଣେ କର୍ମଚାରୀ ଆଣିଛନ୍ତି ଗମ୍ଭୀର ଅଭିଯୋଗ। ସେ କହିଛନ୍ତି, ତାଙ୍କ କମ୍ପାନୀ  ତାଙ୍କୁ  ଓ ଅନ୍ୟ କର୍ମଚାରୀଙ୍କ ଆତ୍ମବିଶ୍ବାସ ବଢାଇବା ଓ ଡରର ସାମନା କରିବା ପାଇଁ ‘ନିଆଁ ଖାଇବାକୁ ’ ବାଧ୍ୟ କରିଥିଲା। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ସୃଷ୍ଟି କରିଛି।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ଅନୁସାରେ, ସୋସିଆଲ ମିଡିଆ ୟୁଜର ‘ରୋଙ୍ଗ ରୋଙ୍ଗ’ ଚୀନ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ଦାବି କରିଛନ୍ତି  ସେ ଲେଖିଛନ୍ତି, କମ୍ପାନୀ ତାଙ୍କୁ ଓ ଅନ୍ୟ କର୍ମଚାରୀଙ୍କୁ ଜଳନ୍ତା କଟନକୁ ପାଟି ଭିତରେ ପୁରାଇବାକୁ ବାଧ୍ୟ କରୁଥିଲେ। ସେ ଭୟଭୀତ ହୋଇ ଏହା କରିବାକୁ ପ୍ରସ୍ତୁତ ହୋଇଥିଲେ, କାରଣ ତାଙ୍କୁ ଚାକିରୀ ହରାଇବାର ଭୟ ଥିଲା।

ସେ ଲେଖିଛନ୍ତି, ଏହି କ୍ରିୟାକୁ କରିବା ବେଳେ ନିଶ୍ବାସ ଉପରେ ନିୟନ୍ତ୍ରଣ, ପାଟିକୁ ଓଦା ରଖିବାକୁ ହେବ ଓ ଠିକ୍ ସମୟରେ ପାଟି ବନ୍ଦ କରିବାକୁ ପଡେ। ଏହାକୁ ସୁରକ୍ଷିତ ଭାବରେ କେବଳ ପ୍ରଶିକ୍ଷିତ ପେଶାଦାର ହିଁ କରିପାରିବେ। ରୋଙ୍ଗ ରୋଙ୍ଗ ଆଗକୁ ଲେଖଛନ୍ତି, ଏହାର ଉଦେଶ୍ୟ କମ୍ପାନୀର ନେତୃତ୍ବଙ୍କୁ କର୍ମଚାରୀଙ୍କ ‘ଜିତିବାର ଇଛା ଓ ଟଙ୍କା ରୋଜଗାର କରିବାର ଚେଷ୍ଟାକୁ ଦେଖିବାକୁ କରାଯାଇଥିଲା।  ସେ ଏହି ଅନୁଭବକୁ ‘ଅପମାନଜନକ ’ ବୋଲି କହିଛନ୍ତି। ଏହି ଘଟଣା କେବଳ ‘ରୋଙ୍ଗ ରୋଙ୍ଗ’ଙ୍କ କମ୍ପାନୀ ପର୍ଯ୍ୟନ୍ତ ସୀମିତ ନାହିଁ। ପୂର୍ବ ଚାଇନାର ଏକ ଟିମ୍‌-ବିଲ୍ଡିଂ କମ୍ପାନୀ ‘ରେଝାଙ୍ଗ’ କର୍ମଚାରୀଙ୍କୁ ନିଆଁ ଖାଇବାର କୌଶଳ ଶିଖାଇଥାଏ। ଏହି ପୋଷ୍ଟ ପରେ ଚୀନ୍ ସୋସିଆଲ ମିଡିଆ ପ୍ଳାଟଫର୍ମ ‘ଡୋୟିନ୍’ରେ ଆକ୍ରୋଶ ଦେଖିବାକୁ ମିଳିଛି। ୟୁଜରମାନେ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି।