ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚୀନ ଗସ୍ତରେ ଅଛନ୍ତି। ସେ ରବିବାର ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହା ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ଯାଇଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତ କରିଥିବା ବେଳେ ଏପଟେ ଟିକଟକର ମୂଳ କମ୍ପାନୀ Bytedance ଏହାର ଗୁଡଗାଓଁ କାର୍ଯ୍ୟାଳୟ ପାଇଁ ନିଯୁକ୍ତି ଦେବାକୁ ଘୋଷଣା କରିଛି । ଗତ କିଛି ଦିନ ଧରି ଭାରତରେ ଟିକଟକ ଫେରିବା ନେଇ କଳ୍ପନାଜଳ୍ପନା ଚାଲିଛି । 

ଏହି ସମୟରେ ଏଥିରେ ଚାକିରି ବାହାରିବା ଖବର ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି । କିନ୍ତୁ ବାଇଟ ଡ୍ୟାନ୍ସରେ କାର୍ଯ୍ୟରତ ଭାରତୀୟ ଅଧିକାରୀଙ୍କ ଅନୁସାରେ, ବର୍ତ୍ତମାନ ସମୟରେ ଟିକଟକ୍‌ ଫେରିବାର ସମ୍ଭାବନା ନାହିଁ । ହେଲେ ଲିଙ୍କଡ୍‌ଇନ୍‌ରେ ଚାକିରି ନେଇ ବାଇଟ ଡ୍ୟାନ୍ସ ପକ୍ଷରୁ ବିଜ୍ଞପ୍ତି ମିଳିବା ପରେ ଲୋକେ ପୁଣି ଥରେ ଟିକଟକ୍‌ର ଫେରିବା ନେଇ ଆଶା କରୁଛନ୍ତି । 

ସୂଚନାଯୋଗ୍ୟ, ୨୦୨୦ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ  ଟିକଟକ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ବାଇଟ ଡ୍ୟାନ୍ସ ଲିଙ୍କଡଇନ୍‌ରେ ଏହାର ଗୁଡଗାଓଁ କାର୍ଯ୍ୟାଳୟ ପାଇଁ ଦୁଇଟି ଖାଲି ପଦବୀ ସଂପର୍କରେ ସୂଚନା ଦେଇଛି । କଣ୍ଟେଣ୍ଟ ମଡରେଟର ଏବଂ ୱେଲବିଂ ପାର୍ଟନରସିପ୍ ବା ଅପରେସନ୍ସ ଲିଡ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ବାଇଟ ଡ୍ୟାନ୍ସ । ସେପଟେ ତିନି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକ ଏହି ଖାଲି ପଦବୀ ପାଇଁ ଆବେଦନ କରିଛନ୍ତି ।

ଅନ୍ୟପକ୍ଷରେ, ଯଦିଓ କମ୍ପାନୀର ୱେବସାଇଟ୍ ଭାରତରେ ପୁଣି ଖୋଲିବା ଆରମ୍ଭ ହୋଇଛି, ତଥାପି ଏହା ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋର ଉଭୟରେ ଡାଉନଲୋଡ୍ ପାଇଁ ଉପଲବ୍ଧ ନାହିଁ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟ ଏକ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଟିକଟକ ଭାରତ ଆସିବା ଖବର ମିଥ୍ୟା ।