ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରୋନାଲ୍ଡୋଙ୍କୁ ଭେଟିବାକୁ ସାଇକେଲରେ ଚୀନ୍‌ରୁ ସାଉଦି ଆରବ ଯାତ୍ରା, ଗୋଙ୍ଗଙ୍କୁ ଲାଗିଥିଲା ୭ ମାସ ସମୟ...

Published By : Prameya | October 28, 2024 12:23 PM

ନୂଆଦିଲ୍ଲୀ ୨୮/୧୦: ଫୁଟବଲ ଜଗତର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ସାରା ବିଶ୍ୱରେ ଅଗଣିତ ପ୍ରଶଂସକ  ଅଛନ୍ତି । ତେବେ ଚୀନ୍‌ର ୨୪ ବର୍ଷୀୟ ଗୋଙ୍ଗଙ୍କର କଥା ଟିକେ ନିଆରା । ନିଜର ପ୍ରିୟ ଖେଳାଳିଙ୍କୁ ଭେଟିବା ଲାଗି ସେ ସାଇକେଲରେ ୧୩ ହଜାର  କିମି ଯାତ୍ରା କରି ନିକଟରେ ଚୀନ୍‌ରୁ ସାଉଦି ଆରବ ପହଞ୍ଚିଥିଲେ । ଏଥିପାଇଁ ତାଙ୍କୁ ୭ ମାସ ସମୟ  ଲାଗିଥିଲା ।  

ମାର୍ଚ୍ଚ ୧୮ରେ ପୂର୍ବ ଚୀନ୍‌ର ଆଙ୍ଗୁଇ ପ୍ରଦେଶସ୍ଥିତ  ନିଜ ଘରୁ ଯାତ୍ରାରମ୍ଭ କରିଥିଲେ ଗୋଙ୍ଗ୍‌ । ପରବର୍ତ୍ତୀ  ସମୟରେ ସେ ସିନ୍‌ଜିଆଙ୍ଗ ପ୍ରଦେଶ ଦେଇ  କାଜାଖସ୍ତାନରେ ପ୍ରବେଶ କରିଥିଲେ । ଏହାପରେ  ଜର୍ଜିଆ, ଇରାନ୍‌, କାତାର ଭଳି ଅନ୍ୟ ୬ ଦେଶ ଦେଇ  ରୋନାଲ୍ଡୋ ରହୁଥିବା ସାଉଦି ଆରବର ରାଜଧାନୀ  ରିୟାଦ୍‌ରେ ପହଞ୍ଚିଥିଲେ । ଚଳିତମାସ ୨୦ ତାରିଖରେ  ଅଲ୍‌ ନାସର ଫୁଟବଲ୍‌ କ୍ଲବ୍‌ ସାମ୍ନାରେ ସେ ତାଙ୍କ ହିରୋଙ୍କୁ ଭେଟିଥିଲେ ।  

ଗତ ଫେବ୍ରୁଆରୀ ମାସରେ ଆଘାତ ଯୋଗୁ ରୋନାଲ୍ଡୋ  ଚୀନ୍‌ ଗସ୍ତକୁ ବାତିଲ କରିବା ପରେ ଗୋଙ୍ଗଙ୍କ  ମନରେ ସାଇକେଲ୍‌ ଚଳାଇ ନିଜର ପ୍ରିୟ ତାରକାଙ୍କୁ  ଭେଟିବାର ଚିନ୍ତାଧାରା ଆସିଥିଲା । ଏଥିଲାଗି ପ୍ରସ୍ତୁତି  ସ୍ୱରୂପ ସେ ସାଇକେଲ୍‌ରେ ଏକ ତମ୍ବୁ, ରୋଷେଇବାସ  ସାମଗ୍ରୀ, ପୋଷାକ ଓ ଅନ୍ୟ କିଛି ଜରୁରି ଉପକରଣ  ଲଦିଥିଲେ । ଗୋଙ୍ଗଙ୍କ ସାଇକେଲରେ ତାଙ୍କର ମିସନ୍‌  ସଂପର୍କରେ ଏକ କାର୍ଡବୋର୍ଡରେ ବି ଲେଖାଯାଇଛି ।  ଖାଦ୍ୟ ସାମଗ୍ରୀ ମହଙ୍ଗା ଥିବା କିଛି ଦେଶରେ ସେ  ପାଉଁରୁଟି ଖାଇଥିଲେ । ସ୍ଥାନୀୟ ଲୋକଙ୍କ ସହିତ ଭାବ  ବିନିମୟ ଲାଗି ଟ୍ରାନ୍ସଲେସନ୍‌ ସଫ୍ଟୱେର ବ୍ୟବହାର  କରିଥିଲେ । 

ଅଗଷ୍ଟ ମାସରେ ଆର୍‌ମେନିଆରେ  ଭୀଷଣ ଜ୍ୱର ଯୋଗୁ ସେ ରାସ୍ତା କଡ଼ରେ ବେହୋସ  ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ  ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ  ତାଙ୍କୁ ମାଗଣା ଚିକିତ୍ସା କରାଯାଇଥିଲା । ଗୋଙ୍ଗଙ୍କ  ଅନୁସାରେ, ଏହି ଯାତ୍ରା ମଧ୍ୟରେ ସେ ଅନେକ ନୂଆ  ବନ୍ଧୁ ସୃଷ୍ଟି କରିଛନ୍ତି । ଏହା ତାଙ୍କୁ ଅଧିକ ଧୈର୍ଯ୍ୟବାନ  ଓ ପରିପକ୍ୱ କରିଛି । ଅକ୍ଟୋବର ୧୦ରେ ସାଉଦି ଆରବରେ ସେ  ପହଞ୍ଚିବାବେଳକୁ ରୋନାଲ୍ଡୋ ଏକ ମ୍ୟାଚ୍‌ ଲାଗି  ୟୁରୋପରେ ଥିଲେ । କିନ୍ତୁ ଅଲ୍‌ ନାସର ଫୁଟବଲ  କ୍ଲବ୍‌ର ଜଣେ କର୍ମଚାରୀ ନିଜର ହିରୋଙ୍କ ସହିତ  ଏକ ମିନିଟ୍‌ର ସାକ୍ଷାତ ଲାଗି ବ୍ୟବସ୍ଥା କରିବାକୁ  ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 

ଅକ୍ଟୋବର ୧୯  ତାରିଖରେ ଚୀନ୍‌ରୁ ଆସିଥିବା ରୋନାଲ୍ଡୋଙ୍କର  ଆଉ ଜଣେ ପ୍ରଶଂସକ ଗୋଙ୍ଗଙ୍କୁ ଅଲ୍‌ ନାସର  ଓ ଅଲ ଶବାବ୍‌ କ୍ଲବ୍‌ ମଧ୍ୟରେ ଅନୁଷ୍ଠିତ ଏକ  ମ୍ୟାଚ୍‌ ଦେଖିବାର ସୁଯୋଗ ଦେଇଥିଲେ । ସେହି  ମ୍ୟାଚ୍‌ରେ ରୋନାଲ୍ଡୋ ଖେଳୁଥିବାବେଳେ ଗୋଙ୍ଗ  ପ୍ରଥମ ଥର ଲାଗି ନିଜ ହିରୋଙ୍କୁ ବାସ୍ତବରେ  ଦେଖିଲେ । ପରେ ତାଙ୍କ ସହ ଏକ ମିନିଟ୍‌  ସାକ୍ଷାତର ଅବକାଶ ତାଙ୍କୁ ମିଳିଲା । ସ୍ୱପ୍ନ ଭଳି  ଲାଗୁଥିବା ସେହି ଏକ ମିନିଟ୍‌ ସମୟ ମଧ୍ୟରେ ରୋନାଲ୍ଡୋ ତାଙ୍କ ସହିତ ହାତ ମିଳାଇଥିଲେ, ଆଲିଙ୍ଗନ କରିଥିଲେ । ତାଙ୍କୁ ଅଟୋଗ୍ରାଫ୍‌ ବି ଦେଇଥିଲେ। ରୋନାଲ୍ଡୋଙ୍କୁ ଭେଟିବାର ସେହି  ଆବେଗମୟ ମୁହୂର୍ତ୍ତକୁ ଗୋଙ୍ଗ ତାଙ୍କ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି । ଆଗକୁ ରୋନାଲ୍ଡୋଙ୍କର ହୋମ୍‌ଟାଉନ୍‌ ପର୍ତ୍ତୁଗାଲ୍‌ ଗସ୍ତରେ  ଯିବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.