ନୂଆଦିଲ୍ଲୀ: ନେପାଳରେ ଚାଲିଥିବା ସାଗରମାଥା ସମ୍ବାଦ କାର୍ଯ୍ୟକ୍ରମରେ ଚୀନ୍ ନେତା ମାଉଣ୍ଟ ଏଭରେଷ୍ଟକୁ ଏହାର ଚୀନ୍ ନାମ ଧରି ସମ୍ବୋଧିତ କରିଥିଲେ। ଚୀନର ସ୍ଥାୟୀ କମିଟିର ଉପାଧ୍ୟକ୍ଷ ଜିଆଓ ଜି କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣ ସମୟରେ ପ୍ରାୟ ୧୦ ଥର ମାଉଣ୍ଟ ଏଭରେଷ୍ଟକୁ ଚୋମୁଲୁଙ୍ଗମା ବୋଲି କହିଥିଲେ । ଫୋରମରେ ଉପସ୍ଥିତ ଅନ୍ୟ ଦେଶର ନେତାମାନେ ଏହାକୁ ବିରୋଧ କରିଥିଲେ। କିନ୍ତୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନୀରବ ରହିଥିଲେ।
ନେପାଳରେ ଚାଲିଥିବା ସାଗରମାଥା ସମ୍ବାଦ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତ । ଏଥିରେ ହିମାଳୟ କ୍ଷେତ୍ରରେ ଦ୍ରୁତ ଗତିରେ ବରଫ ତରଳିବା ଏବଂ ଇକୋସିଷ୍ଟମ ଦୁର୍ବଳ ହେବା ବିଷୟରେ ଆଲୋଚନା ହେଉଛି । କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଚୀନ୍ ନେତା ଏଭରେଷ୍ଟ ପର୍ବତକୁ ଚୋମୁଲୁଙ୍ଗମା ବୋଲି କହିବା ପରେ ବିବାଦ ଆରମ୍ଭ ହୋଇଛି ।
ଅନ୍ୟ ଦେଶର ନେତାମାନେ ମାଉଣ୍ଟ ଏଭରେଷ୍ଟକୁ କେବଳ ଏହାର ଇଂରାଜୀ ଏବଂ ନେପାଳୀ ନାମରେ ସମ୍ବୋଧିତ କରୁଥିଲେ। ଯେତେବେଳେ ଚୀନ୍ ନେତା ମାଉଣ୍ଟ ଏଭରେଷ୍ଟକୁ ଚୋମୁଲୁଙ୍ଗମା ବୋଲି କହୁଥିଲେ, ସେତେବେଳେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚୁପ ରହିଥିଲେ । ଚୀନ୍ ନେତାଙ୍କ ଏହି ବୟାନ ଏକ ନୂତନ ବିବାଦକୁ ଜନ୍ମ ଦେଇଛି। ଏହି ମାମଲାରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ, ମୁଁ ଏହି ଘଟଣା ବିଷୟରେ ଅବଗତ ନାହିଁ । କାଠମାଣ୍ଡୁରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଂଲାଦେଶ, ଭୁଟାନ, ନେପାଳ, ବ୍ରିଟେନ, ୟୁଏଇ, ଜାପାନ, ଭାରତ, କତାର, କାଜାଖସ୍ତାନ, ବ୍ରାଜିଲ, ଇଜିପ୍ଟ, ଓମାନ ଏବଂ ପାକିସ୍ତାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ, ଜାତିସଂଘ, ବିଶ୍ୱ ବ୍ୟାଙ୍କ, ADB, SAARC, BIMSTEC ଏବଂ ICIMOD ର ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ।
ସାଗରମଥା ସମ୍ୱାଦ କାର୍ଯ୍ୟକ୍ରମକୁ ଭାରତର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହିତ ଜଳବାୟୁ ସୁଧାର କାର୍ଯ୍ୟରେ ଯୋଗଦାନ ଦେଉଛି। ବିକଶିତ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସହାୟତା ଏବଂ ଉନ୍ନତ ପ୍ରଯୁକ୍ତି ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ସେମାନେ ଏଥିରୁ ଓହରି ଯାଉଛନ୍ତି। ଏହା ଜଳବାୟୁ ସଙ୍କଟକୁ ବୃଦ୍ଧି କରୁଛି ବୋଲି ସେ କହିଥିଲେ ।