ନୂଆଦିଲ୍ଲୀ ୦୮/୦୯: ଚୀନ୍ର ଏକ ଆଇଟି କମ୍ପାନି ନିଜ କର୍ମଚାରୀଙ୍କୁ ଓଜନ ହ୍ରାସ ଲାଗି ପ୍ରୋତ୍ସାହିତ କରିବା ନେଇ ଚର୍ଚ୍ଚାରେ ରହିଛି । କମ୍ପାନି ପକ୍ଷରୁ ଏଥିଲାଗି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ବିଜୟୀ କର୍ମଚାରୀଙ୍କୁ ବୋନସ୍ ଆକାରରେ ନଗଦ ଅର୍ଥ ମଧ୍ୟ ପ୍ରଦାନ କରାଯାଉଛି ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଏହି ଅଭିନବ ଉଦ୍ୟମ କରୁଥିବା କମ୍ପାନି ହେଲା ଶେନଜେନ୍ ସ୍ଥିତ ଅରଶି ଭିଜନ୍ ଇଙ୍କ୍ । ନିଜ କର୍ମଚାରୀମାନଙ୍କୁ ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଇବା ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବାକୁ ୨୦୨୨ରେ କମ୍ପାନି ପକ୍ଷରୁ ପ୍ରଥମେ ‘ମିଲିଅନ୍ ୟୁଆନ୍ ୱେଟ୍ ଲସ୍ ଚ୍ୟାଲେଞ୍ଜ’ ନାମକ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ସେବେଠାରୁ ଏହି ପ୍ରତିଯୋଗିତାର ୭ଟି ସିଜନ୍ ଅନୁଷ୍ଠିତ ହୋଇସାରିଲାଣି । ପ୍ରତି ସିଜନ୍ରେ କମ୍ପାନିର ୩୦ ଜଣ କର୍ମଚାରୀ ଏହି ଓଜନ ହ୍ରାସ ଚାଲେଞ୍ଜରେ ଭାଗ ନେଇଥାନ୍ତି । ପ୍ରତି ସପ୍ତାହରେ ସେମାନଙ୍କର ଓଜନ ମପା ଯାଇଥାଏ । ପ୍ରତି ଅଧ କିଲୋ ଓଜନ କମାଇବା ବାବଦରେ କର୍ମଚାରୀମାନେ ଭାରତୀୟ ମୁଦ୍ରାରେ ୬,୭୧୫ ଟଙ୍କା ପାଇଥାନ୍ତି । ଚଳିତ ସିଜନ୍ରେ କମ୍ପାନିର ଜଣେ କର୍ମଚାରୀ ସି ୟାକି ୩ ମାସ ମଧ୍ୟରେ ୨୦ କିଲୋ ଓଜନ କମ୍ କରି ଭାରତୀୟ ମୁଦ୍ରାରେ ପ୍ରାୟ ୨ ଲକ୍ଷ ୪୬ ହଜାର ଟଙ୍କା ଜିତିଛନ୍ତି । ଏଥିସହ ତାଙ୍କୁ ‘ୱେଟ୍ ଲସ୍ ଚାମ୍ପିଅନ୍’ ଆଖ୍ୟା ପ୍ରଦାନ କରାଯାଇଛି ।
ଏ ସଂପର୍କରେ କମ୍ପାନିର ଜଣେ ଅଧିକାରୀ କହିଛନ୍ତି, ସ୍ୱାସ୍ଥ୍ୟ ହେଉଛି ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ସଂପର୍କରେ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଚଳାଯାଉଛି । ଏହାଦ୍ୱାରା କର୍ମଚାରୀମାନେ ନୂଆ ଉତ୍ସାହର ସହ କାର୍ଯ୍ୟ ଓ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ ବୋଲି ଆଶା ରହିଛି । ଚୀନ୍ରେ ଏବେ ମେଦବହୁଳତା ମାମଲା ଦ୍ରୁତ ହାରରେ ବଢ଼ି ଚାଲିଛି । ଏଭଳିସ୍ଥଳରେ ଅରଶି ଭିଜନ୍ ଇଙ୍କ୍ କମ୍ପାନି ଭଳି ଚୀନ୍ ସରକାର ମଧ୍ୟ ନାଗରିକମାନଙ୍କୁ ସନ୍ତୁଳିତ ଜୀବନଶୈଳୀ ଗ୍ରହଣ ଲାଗି ଆହ୍ୱାନ କରୁଛନ୍ତି ।