ନୂଆଦିଲ୍ଲୀ,୧୨/୧୨:ମୋବାଇଲ ଫୋନ୍‌ ଏବେ ଆମ ସମସ୍ତଙ୍କ ଜୀବନର ଅଂଶବିଶେଷ ପାଲଟିଛି । ସକାଳୁ ଉଠି ଅଧିକାଂଶ ଲୋକେ ପ୍ରଥମେ ନିଜର ମୋବାଇଲ୍‌ ହିଁ ଦେଖିଥାନ୍ତି । ଏଭଳିସ୍ଥିତିରେ ଚୀନ୍‌ର ଜଣେ ମହିଳା ଲଗାତର ୮ ଘଣ୍ଟା ଧରି ମୋବାଇଲ ବ୍ୟବହାର ନ କରି ଏକ ନିଆରା ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ପୁରସ୍କାର ସ୍ୱରୂପ ଭାରତୀୟ ମୁଦ୍ରାରେ ୧ ଲକ୍ଷରୁ ଅଧିକ ଅର୍ଥ ମଧ୍ୟ ଜିତିଛନ୍ତି । ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ନଭେମ୍ବର ୨୯ ତାରିଖରେ ଦକ୍ଷିଣ ପଶ୍ଚିମ ଚୀନ୍‌ର ଚୋଙ୍ଗକିଙ୍ଗ ନଗର ପାଳିକାର ଏକ ଶପିଂ ସେଣ୍ଟରରେ ମୋବାଇଲ ନ ଦେଖିବାର ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଲାଗି ପ୍ରାୟ ୧୦୦ ଜଣ ଆବେଦନ କରିଥିବାବେଳେ ମାତ୍ର ୧୦ ଜଣ ଭାଗ ନେଇଥିଲେ । ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ ହୋଇଥିବା ବେଡ୍‌ରେ ସ୍ମାର୍ଟଫୋନ୍‌, ଲାପଟପ୍‌, ଆଇପ୍ୟାଡ୍‌ ଭଳି ଇଲୋକ୍ଟ୍ରେନିକ ଡିଭାଇସ୍‌ ବିନା ୮ ଘଣ୍ଟା ବିତାଇବାକୁ କୁହାଯାଇଥିଲା । ପୁଣି ସେମାନଙ୍କୁ ଅଧିକାଂଶ ସମୟ ବିଛଣାରେ ହିଁ କଟାଇବାର ଥିଲା । କେବଳ ଶୌଚାଳୟ ଯିବାକୁ ୫ ମିନିଟ୍‌ ବିରତି ବ୍ୟବସ୍ଥା ରହିଥିଲା । 

ନିୟମ ଅନୁସାରେ, ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ପ୍ରତିଯୋଗୀମାନେ ଫୋନ୍‌କୁ ହସ୍ତାନ୍ତର କରିଦେଇଥିଲେ । ଏହାପରେ ଆୟୋଜକମାନେ ସେମାନଙ୍କ ହାତରେ ରିଷ୍ଟ ଷ୍ଟ୍ରାପ୍‌ ବାନ୍ଧି ସେମାନଙ୍କର ନିଦ ଓ ମାନସିକ ଚାପର ସ୍ତରକୁ ମାପିଥିଲେ । ପ୍ରତିଯୋଗୀଙ୍କୁ ଗଭୀର ନିଦରେ ଶୋଇବା କିମ୍ବା ମାନସିକ ଚାପର ଲକ୍ଷଣ ଦେଖାଇବାକୁ ମନା କରାଯାଇଥିଲା । ଅଧିକାଂଶ ଲୋକେ ବହି ପଢ଼ି କିମ୍ବା ବିଛଣାରେ ଶୋଇ ସମୟ ବିତାଇଥିଲେ । ଏହି ଅବଧିରେ ସେମାନଙ୍କ ବିଛଣା ନିକଟକୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା । ଶେଷରେ ଡୋଙ୍ଗ ନାମ୍ନୀ ଜଣେ ମହିଳା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେ ମୋଟ ୧୦୦ ମାର୍କ ମଧ୍ୟରୁ ୮୮.୯୯ ପଏଣ୍ଟ ରଖିଥିଲେ । ଡୋଙ୍ଗ ସବୁଠୁ ଅଧିକ ସମୟ ମୋବାଇଲ୍‌ ବିନା ବିଛଣାରେ ରହିଥିବାବେଳେ ତାଙ୍କ ନିକଟରେ ଚାପର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥିଲା । ବିଜୟୀ ହେବାପରେ ଏକ ଫାଇନାନ୍ସ ଫାର୍ମରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ଡୋଙ୍ଗ କହିଛନ୍ତି, ସେ ତାଙ୍କର ଫାଙ୍କା ସମୟରେ ପିଲାମାନଙ୍କୁ ପଢ଼ାଇଥାନ୍ତି । ମୋବାଇଲ ଓ ଅନ୍ୟ ଇଲୋକ୍ଟ୍ରୋନିକ ଡିଭାଇସ୍‌ର ଯଥାସମ୍ଭବ କମ୍‌ ବ୍ୟବହାର ଲାଗି ଉଦ୍ୟମ କରିଥାନ୍ତି । ପୁରସ୍କାର ସ୍ୱରୂପ ସେ ୧୦ ହଜାର ୟୁଆନ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୧୬ ହଜାର ଟଙ୍କା) ଜିତିଛନ୍ତି ।