ଭୁବନେଶ୍ଵର, ୦୫/୦୨ : ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର। ଟଙ୍କା ଫେରସ୍ତ ପ୍ରକ୍ରିୟାର ଅବଧି ବଢାଇଲେ ସରକାର। ପୂର୍ବରୁ ଜାନୁଆରୀ ୩୧ ଯାଏଁ ଅବଧି ଥିଲା। ଏବେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ହେବ। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ RIଙ୍କ ନିକଟରେ ଆବେଦନ କରିବେ। ଏହାର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ। ୮ରୁ ଦଶ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର।
ପୂର୍ବରୁ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ଜାନୁଆରୀ ୩୧ ଥିଲା। ହେଲେ ଧାର୍ଯ୍ୟ ସମୟ ଭିତରେ କେତେକ ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାଁନ୍ତି। ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଟଙ୍କା ଫେରସ୍ତ ସମୟ ସୀମା ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ସମୟ ସୀମା ବଢାଯାଇଛି।
କେଉଁମାନେ ସୁବିଧା ପାଇବେ ?
୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ।
ଆବେଦନ ପତ୍ରର ସ୍ଥିତି କେମିତି ଜାଣିବେ ?
ନିଜ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇନଥିବା ଜମାକାରୀଙ୍କର ସମ୍ପୂର୍ଣ୍ଣ ତାଲିକା ରହିଛି। ଏତଦ୍ ବ୍ୟତୀତ ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ/ଆଫିଡେଭିଟ୍ ନମ୍ଵର ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଜମାକାରୀଙ୍କ ନାମ/ଆପ୍ଲିକେସନ ନମ୍ଵର www.opid.odisha.gov.inରେ ଦେଇ ସେମାନଙ୍କ ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିପାରିବେ।
ଟଙ୍କା ଫେରସ୍ତ ପାଇଁ କଣ କରିବେ ?
ଜମାକାରୀମାନେ ପରିଚୟ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ମୂଳ ଜମା ରସିଦ୍, ବ୍ୟାଙ୍କ ଖାତା ନମ୍ଵର, ବ୍ୟାଙ୍କ ନାମ, IFSC ସହ ଆରଆଇଙ୍କ ପାଖରେ ଯୋଗାଯୋଗ କରିବେ। ଏହାର ୧୫ ଦିନ ମଧ୍ୟରେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ।
ଏହି ଖବରଟିକୁ ପଢନ୍ତୁ- ଜଙ୍ଗଲରୁ ଦଶମ ଛାତ୍ରୀ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ