ଦଶରଥପୁର ୨୨/ ୧୨ : ଦଶରଥପୁର ବ୍ଲକ ଚିତାଳୋ ମହାବିଦ୍ୟାଳୟରେ ବିକଟାଳ ବାଇକ ହର୍ଣ୍ଣକୁ ନେଇ ୨ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି। ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଗତ ଶନିବାର ଜଣେ +୩ ଛାତ୍ର ମହାବିଦ୍ୟାଳୟ ପରିସରରେ ବିକଟାଳ ହର୍ଣ୍ଣ ବଜାଇ ବାଇକ ଚଳାଉଥିବା ଦେଖି କିଛି +୨ ଛାତ୍ର ସମ୍ପୃକ୍ତ ବାଇକ ଚାଳକ ଛାତ୍ରକୁ ଅଟକାଇ କାହିଁକି ଏଭଳି ହର୍ଣ୍ଣ ବଜାଉଛ ପଚାରିବାରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମହାବିଦ୍ୟାଳୟର କିଛି ଅଧ୍ୟାପକଙ୍କ ହସ୍ତକ୍ଷେପ ପରେ ଘଟଣା ଥମି ଯାଇଥିଲେ ମଧ୍ୟ, ଛାତ୍ର ମାନଙ୍କ ମନ ଥଣ୍ଡା ପଡ଼ିନଥିଲା । ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ରେ ମହାବିଦ୍ୟାଳୟର କିଛି +୩ ଛାତ୍ର ଗୋଷ୍ଠୀ +୨ ଛାତ୍ର ଗୋଷ୍ଠୀର ୫ ଜଣ ଛାତ୍ରଙ୍କୁ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଦେଖିବା କ୍ଷଣି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗ ୨ୟ ବର୍ଷ ଛାତ୍ର ଏସ କେ କମାର ରାଜା ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଖବର ପାଇ ଯାଜପୁର ଟାଉନ ଥାନା ପୁଲିସ ମହାବିଦ୍ୟାଳୟରେ ପହଂଚି ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲକୁ ପଠାଇବା ସହିତ ମହାବିଦ୍ୟାଳୟର ଅଧକ୍ଷ ଏବଂ କିଛି ଛାତ୍ରଙ୍କୁ ପଚରାଉଚରା କରି ତଦନ୍ତ ଚଳାଇଛି।