ନୂଆଦିଲ୍ଲୀ ୨୨/୦୮: ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର ୫ ଫାଇଟର୍‌ ଜେଟ୍‌କୁ ଖସାଇଥିଲା ଭାରତ । ଏହି ସମୟରେ ମିସାଇଲ ଡିଫେନ୍ସ ସିଷ୍ଟମ୍‌ ଏସ୍‌-୪୦୦ର  ଲଞ୍ଚର୍‌ ଦାୟିତ୍ୱରେ ଥିଲେ ଚୁରୁର ଯବାନ ଭଲେ ସିଂହ । ଭାରତୀୟ  ବାୟୁସେନାରେ ସାର୍ଜେଣ୍ଟ୍‌ ପଦରେ ଅବସ୍ଥାପିତ ଭଲେ ସିଂହଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ବୀରତା ପଦକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯିବ । ସାହସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।  

ଗତ ବୁଧବାର ନିଜ ଗାଁ ହାସିୟାବାସ (ଚୁରୁ)  ଆସିଥିବା ଭଲେ ସିଂହ ଅପରେସନ୍‌ ସିନ୍ଦୂରର ଏକ  ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କଥା ମନେପକାଇ କହିଛନ୍ତି,  ଶତ୍ରୁପକ୍ଷର ମିସାଇଲ ଆକ୍ରମଣ ସମୟରେ ଏକ  ଲଞ୍ଚର୍‌ ସିଷ୍ଟମ୍‌ ଖରାପ ହୋଇଗଲା । କାରଣ  ସେହି ସିଷ୍ଟମ୍‌ରୁ ସେମାନେ ଅନେକ ମିସାଇଲ୍‌  ଲଞ୍ଚ୍‌ କରିସାରିଥିଲେ । ରାତିର ଅନ୍ଧାରରେ  ତାଙ୍କ ଟିମ୍‌ ପାଖରେ ଗୋଟିଏ ବିକଳ୍ପ ଥିଲା ।  ଖରାପ ଲଞ୍ଚର୍‌ ସିଷ୍ଟମ୍‌କୁ ସେଠାରେ ଛାଡ଼ି ଆଗକୁ ବଢ଼ିବା । କାରଣ  ସେତେବେଳେ ପାକିସ୍ତାନ ଲଗାତାର ମିସାଇଲ ଆକ୍ରମଣ କରୁଥିଲା ।  କିନ୍ତୁ ଯଦି ସେମାନେ ଲଞ୍ଚର୍‌ ଛାଡ଼ି ଚାଲିଯାଇଥାନ୍ତେ, ପାଖରେ ଥିବା  ମିସାଇଲ୍‌ଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅଧିକ ଥିଲା । କାରଣ  ଶତ୍ରୁ ଲଗାତାର ଡ୍ରୋନ୍‌ ଆକ୍ରମଣ କରୁଥିଲା ।  

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଲେ ସିଂହଙ୍କ ଟିମ୍‌ ସ୍ଥିର କଲେ,  ସିଷ୍ଟମ୍‌କୁ ଛାଡ଼ି ଯିବେନାହିଁ । ସେମାନେ ଏକ ୪ ଜଣିଆ ଟିମ୍‌  ଗଢ଼ିଲେ । ଲଞ୍ଚର୍‌ ସିଷ୍ଟମ୍‌କୁ ସଜାଡ଼ି ତା’ର ସ୍ଥାନକୁ ନେଇଗଲେ ।  ଏହି କାମ ସମ୍ପୂର୍ଣ୍ଣ ଅନ୍ଧାରରେ ଏବଂ ଗୁପ୍ତ ଭାବେ କରାଯାଉଥିଲା ।  ସିଷ୍ଟମ୍‌କୁ ସଜାଡ଼ିବା ପରେ ସେଥିରୁ ସେମାନେ ଦୁଇଟି ଟାର୍ଗେଟ୍‌କୁ  ନଷ୍ଟ କଲେ । ତନ୍ମଧ୍ୟରେ ପାକିସ୍ତାନର ଅୱାକ୍ସ ଫାଇଟର୍‌ ଜେଟ୍‌ ଥିଲା ।  ପେଶାୱର ନିକଟସ୍ଥ ରନ୍‌ୱେରୁ ଉଡ଼ାଣ ଆରମ୍ଭ ସମୟରେ ୩୧୪  କିମି ଦୂରରୁ ତାକୁ ନଷ୍ଟ କରାଗଲା । 

ଭଲେ ସିଂହ କହିଛନ୍ତି, ଅପରେସନ୍‌ ସିନ୍ଦୂରରେ  ଏସ୍‌-୪୦୦ ୟୁନିଟ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରିଥିଲା । ତାଙ୍କ ଟିମ୍‌ ପାକିସ୍ତାନର ଏଫ୍‌-୧୬  ସମେତ ୫ ଫାଇଟର୍‌ ଜେଟ୍‌କୁ ଖସାଇଥିଲେ । ମେ’  ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଅପରେସନ୍‌  ସିନ୍ଦୂର ସମୟରେ ଟିମ୍‌ ସହ ମିଶି ସେ ୨୪ ଘଣ୍ଟା  କାମ କରିଥିଲେ । ଯବାନଙ୍କୁ ନିଦ ନ ଆସିବା  ପାଇଁ ସ୍ୱତନ୍ତ୍ର ବଟିକା ଦିଆଯାଉଥିଲା । ତାହା  ଅତିକମ୍‌ରେ ୮-୧୦ ଘଣ୍ଟା କାମ କରୁଥିଲା ।  ଏହି ସମୟରେ ସେମାନେ ଖୁବ୍‌ କମ୍‌ ସମୟ  ଭିତରେ ଭୋଜନ ଶେଷ କରୁଥିଲେ । 

ଭଲେ ସିଂହ ଦ୍ୱାଦଶ ପାସ୍‌ ପରେ ୨୦୦୫ରେ ବାୟୁସେନାରେ  ଯୋଗ ଦେଇଥିଲେ । ଗତ ଜୁନ୍‌ ୩୦ରେ ପଞ୍ଜାବର ଆଦମପୁର ଏୟାରବେସ୍‌ରୁ ସେ ଅବସର ନେଇ ଫେରିଛନ୍ତି । ସେବାରେ  ଥିବାବେଳେ ସେ ଡିଆର୍‌ଡିଓ ସିକ୍ରେଟ୍‌ ମିସାଇଲ ମିଶନରେ  କାମ କରିଥିଲେ। ରୁଷ୍‌ର ପିଚୋରା ମିସାଇଲ ସିଷ୍ଟମ୍‌ ଉପରେ  ମଧ୍ୟ ସେ କାମ କରିଛନ୍ତି । ସେ ଜାମନଗର, ଶ୍ରୀନଗର, ଦିଲ୍ଲୀ ଓ  ଆଦମପୁରରେ ସେବା ଦେଇଛନ୍ତି।