ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ ନିଜ ପଢା ଦିନର ଆଇନ କଲେଜର ସ୍ମୃତିକୁ ମନେ ପକାଇଛନ୍ତି । ଏହି ସମୟରେ ସେ ସଫଳତାର ଏକ ବିଶେଷ ମୂଳମନ୍ତ୍ର ଦେଇଛନ୍ତି। ତାଙ୍କ କହିବା କଥା ସେ ଯେଉଁ କଥା ସମସ୍ତଙ୍କୁ ଜଣାଉଛନ୍ତି, ତାହା ସମସ୍ତଙ୍କୁ ପ୍ରେରଣା ଦେବ। ପରୀକ୍ଷା ଫଳାଫଳ ଦ୍ୱାରା କାହାର ସଫଳତାର ସ୍ତର ନିର୍ଣ୍ଣୟ କରାଯାଇ ପାରିବ ନାହିଁ, ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ, ସେ ପାଞ୍ଚ ବର୍ଷରେ କେବଳ ୫ ରୁ ୬ ଥର କଲେଜ ଯାଇଥିବେ ଏବଂ ତଥାପି ସେ ତୃତୀୟ ସ୍ଥାନ ପାଇଥିଲେ।

ସିଜେଆଇ ଗାଭାଇ ଗୋଆର ବିଏମ ସାଲଗାଂବକର (VM Salgaonkar) କଲେଜ ଅଫ୍ ଲ'ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ,ଯେଉଁଠାରେ ସେ ବରିଷ୍ଠ ଓକିଲ ମାନଙ୍କ ସହିତ ଅଭ୍ୟାସ କରୁଥିବା ଜୁନିଅର ଓକିଲ ମାନେ ପାଉଥିବା କମ ଦରମା ବିଷୟରେ କହିଥିଲେ ଏବଂ ଏହା ଉପରେ ଚିନ୍ତା ପ୍ରକାଶ କରିଥିଲେ। ଏହି ସମୟରେ, ସେ ତାଙ୍କ କଲେଜ ଦିନ ବିଷୟରେ ମଧ୍ୟ କହିଥିଲେ।

ସିଜେଆଇ ଗାଭାଇ କହିଛନ୍ତି ଯେ, ଯେତେବେଳେ ସେ ମୁମ୍ବାଇ ଏବଂ ଅମରାବତୀର ସରକାରୀ ଆଇନ କଲେଜରେ ପଢ଼ୁଥିଲେ, ସେ କ୍ଲାସରେ ଯୋଗ ଦେଉ ନଥିଲେ ଏବଂ ତାଙ୍କ ସହପାଠୀ ମାନେ ତାଙ୍କର ଉପସ୍ଥାନ ଲଗାଇ ଦେଉଥିଲେ । ସିଜେଆଇ ସେହି ଦିନ ଗୁଡ଼ିକୁ ମନେ ପକାଇ କହିଛନ୍ତି, 'ଯେତେବେଳେ ମୁଁ ମୁମ୍ବାଇର ସରକାରୀ ଆଇନ କଲେଜରେ ପଢ଼ୁଥିଲି, ଆମେ କଲେଜ କାନ୍ଥରେ ବସି ଆମର ଉପସ୍ଥାନ ପାଇଁ ଆମର ସହପାଠୀ ମାନଙ୍କ ଉପରେ ନିର୍ଭର କରୁଥିଲୁ। ଏହା ପରେ, ଯେତେବେଳେ ମୁଁ ଅମରାବତୀ ଲ’ କଲେଜକୁ ଗଲି, ମୁଁ ୫ ରୁ ୬ ଟି କ୍ଲାସ ମଧ୍ୟ କରିନଥିଲି। ମୋର ବନ୍ଧୁମାନେ, ଯେଉଁମାନେ ପରେ ହାଇକୋର୍ଟର ବିଚାରପତି ହୋଇଥିଲେ, ସେମାନେ ମୋର ଉପସ୍ଥାନ ମାର୍କ କରୁଥିଲେ। ଫଳାଫଳ ଆସିବା ପରେ, ମୁଁ ମେରିଟ୍ ଲିଷ୍ଟରେ ତୃତୀୟ ସ୍ଥାନରେ ଥିଲି, ଯେତେବେଳେ କି ମୁଁ କ୍ୱଚିତ୍ କଲେଜ ଯାଉଥିଲି। ମୁଁ କେବଳ ଗତ ପାଞ୍ଚ ବର୍ଷର ପୁରୁଣା ପ୍ରଶ୍ନପତ୍ର ସମାଧାନ କରୁଥିଲି। ’

ସିଜେଆଇ କହିଥିଲେ ଯେ କାହାର ଦକ୍ଷତା ଯାଞ୍ଚ କରିବା ପାଇଁ ପରୀକ୍ଷାର ଫଳାଫଳକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ନୁହେଁ। ସେ କହିଥିଲେ ଯେ ତାଙ୍କର ଅନେକ ସହକର୍ମୀ ଭଲ ରାଙ୍କ ପାଇବା ସତ୍ତ୍ୱେ ଭିନ୍ନ ପଥ ବାଛିଥିଲେ। ସିଜେଆଇ କହିଥିଲେ ଯେ ପ୍ରଥମ ରାଙ୍କ ପାଇଥିବା ବ୍ୟକ୍ତିମାନେ ଫୌଜଦାରୀ ଓକିଲ ହୋଇଗଲେ ଏବଂ ସେମାନଙ୍କର କେବଳ ଜାମିନ ପାଇବାରେ ବିଶେଷଜ୍ଞତା ଅଛି। ଦ୍ୱିତୀୟ ରାଙ୍କ ପାଇଥିବା ଜଷ୍ଟିସ୍ ଭିଏଲ ଅଚିଲ୍ୟ ଜିଲ୍ଲା ଜଜ୍ ହୋଇଥିଲେ ଏବଂ ସେ ନିଜେ, ଯିଏ ତୃତୀୟ ରାଙ୍କ ପାଇଥିଲେ, ପ୍ରଥମେ ଜଣେ ଓକିଲ ଏବଂ ଏବେ ଦେଶର ମୁଖ୍ୟ ବିଚାରପତି।

ସିଜେଆଇ ଗଭାଇ କହିଥିଲେ ଯେ ଆପଣ ପରୀକ୍ଷାରେ ପାଇଥିବା ରାଙ୍କକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍ ନୁହେଁ, ପରୀକ୍ଷା ଫଳାଫଳ ଆପଣଙ୍କ କ୍ୟାରିୟରର ସ୍ତର ନିର୍ଣ୍ଣୟ କରେ ନାହିଁ, ବରଂ ଆପଣଙ୍କର ସମର୍ପଣ, କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ଏହାକୁ ନିର୍ଣ୍ଣୟ କରେ।