ନୂଆଦିଲ୍ଲୀ,୦୮/୧୧:  ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ଘଟଣାର ଶୁଣାଣି  ପଶ୍ଚିମବଙ୍ଗ ବାହାରକୁ ନେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହ ପୋଲିସ୍‌ ଓ ନ୍ୟାୟପାଳିକା ଉପରୁ ବେଙ୍ଗଲବାସୀଙ୍କ ଭରସା ଉଠି ଯାଇଥିବା ନେଇ ଦାବି କରୁଥିବା ଜଣେ ଆଇନଜୀବୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଦେଇଛନ୍ତି  କଡ଼ା ଜବାବ ।

ରାଜ୍ୟ ବାହାରକୁ ଶୁଣାଣିକୁ ସ୍ଥାନାନ୍ତର କରିବା ପାଇଁ ଜଣେ ଆଇନଜୀବୀ କରିଥିବା ଅନୁରୋଧ ଉପରେ ସିଜେଆଇ କହିଛନ୍ତି, “ହଁ, ଆମେ ମଣିପୁର ମାମଲାରେ ଏମିତି କରିଥିଲୁ। କିନ୍ତୁ ଏଠାରେ ଆମେ ସେମିତି କିଛି ବି କରିବୁ ନାହିଁ। କୌଣସି ସ୍ଥାନାନ୍ତର ବା ବଦଳି ହେବ ନାହିଁ।” ତେବେ ସିଜେଆଇଙ୍କ ସହ ଖଣ୍ଡପୀଠରେ ଜଷ୍ଟିସ ଜେପି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା ମଧ୍ୟ ରହିଥିଲେ। ଆରଜି କର ମାମଲାରେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟକୁ ଖଣ୍ଡପୀଠ ତର୍ଜମା କରିଛନ୍ତି। ରବିବାର ଅବସର ନେବାକୁ ଯାଉଥିବା ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ସିବିଆଇ ଦ୍ୱାରା ଦାଖଲ ହୋଇଥିବା ୬ଷ୍ଠ ଷ୍ଟାଟସ ରିପୋର୍ଟକୁ ଆମେ ଦେଖିଛି। ଏଥିରୁ ସଙ୍କେତ ମିଳୁଛି ଯେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାରତୀୟ ନ୍ୟାୟ ସଂହିତାର ଧାର ୬୪ ଓ ୧୦୩ ଅନୁସାରେ ଚାର୍ଜଫ୍ରେମ କରିଛନ୍ତି। ଆସନ୍ତା ଶୁଣାଣି ନଭେମ୍ବର ୧୧ରେ ହେବ। ତଦନ୍ତ ଚାଲିଥିବାରୁ ଆମେ କୌଣସି ମତ ରଖିବାକୁ ଚାହୁଁନାହୁଁ।”