ନୂଆଦିଲ୍ଲୀ,୦୫/୦୭: ୬୦ ବର୍ଷର ନିୟମ ବଦଳାଇଲେ ସିଜେଆଇ । ସୁପ୍ରିମକୋର୍ଟରେ ପ୍ରଥମ ଥର ଅନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ କର୍ମଚାରୀଙ୍କ ନିଯୁକ୍ତିରେ ସଂରକ୍ଷଣ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର ଗଭାଇଙ୍କ ନେତୃତ୍ୱରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି।
ତେବେ ଜୁଲାଇ ୩ରେ ଜାରି ହୋଇଥିବା ଏକ ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଧାରା ୧୪୬ (୨) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ୧୯୬୧ର ସୁପ୍ରିମକୋର୍ଟ ସେବା ଓ ଆଚରଣ ସର୍ତ୍ତାବଳୀ ନିୟମ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ (୪ଏ) ଅନୁଯାୟୀ,"ପ୍ରତ୍ୟକ୍ଷ ନିଯୁକ୍ତିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି, ଦିବ୍ୟାଙ୍ଗ, ପୂର୍ବତନ ସୈନିକ ଏବଂ ସ୍ୱାଧୀନତା ସଂଗ୍ରାମୀ ଆଶ୍ରିତଙ୍କ ପାଇଁ ସଂରକ୍ଷଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟ ସମୟରେ ଜାରି ହୋଇଥିବା ବିଜ୍ଞପ୍ତି ଏବଂ ନିର୍ଦ୍ଦେଶ ଅନୁଯାୟୀ ପ୍ରଯୁଜ୍ୟ ହେବ।"
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କର୍ମଚାରୀ ନିଯୁକ୍ତିରେ କେବଳ ଏସ୍ସି/ଏସ୍ଟି ପାଇଁ ସଂରକ୍ଷଣ ଥିଲା। କିନ୍ତୁ ଓବିସି ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିଲା। ଏହା ପ୍ରଥମ ଥର ଓବିସି ବର୍ଗର ଚାକିରି ଆଶାୟୀମାନଙ୍କୁ କୋର୍ଟ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ମିଳିବ । ନୂତନ ସଂରକ୍ଷଣ ବ୍ୟବସ୍ଥା ପଦବୀ ଭିତ୍ତିକ ହେବ, ଖାଲି ପଦବୀ ଆଧାରିତ ନୁହେଁ। ଏହି ବ୍ୟବସ୍ଥା ୧୯୯୫ ମସିହାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆର.କେ. ସବରୱାଲ ବନାମ ପଞ୍ଜାବ ରାଜ୍ୟ ନିଷ୍ପତ୍ତି ଉପରେ ଆଧାରିତ। ନିଷ୍ପତ୍ତିରେ କୁହାଯାଇଛି ଯେ, ବାର୍ଷିକ ଖାଲି ପଦବୀ ଆଧାରରେ ନୁହେଁ ବରଂ ପଦବୀ ଅନୁସାରେ ସଂରକ୍ଷଣ ନିଷ୍ପତ୍ତି ନିଆଯିବା ଉଚିତ। ସିଧାସଳଖ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ପୃଥକ ପୃଥକ ରୋଷ୍ଟର ରହିବା ଉଚିତ। ସଂରକ୍ଷିତ ବର୍ଗକୁ ଏକ ପଦବୀ ଆବଣ୍ଟିତ ହେବା ପରେ,ବ୍ୟକ୍ତି ଅବସର ଗ୍ରହଣ କଲେ ମଧ୍ୟ ତାହା ସ୍ଥାୟୀ ଭାବରେ ସମାନ ବର୍ଗରେ ରହିବ।