ନୂଆଦିଲ୍ଲୀ,୧୬।୫: ଗତକାଲି ସିଜେଆଇ ସୂର୍ଯ୍ୟକାନ୍ତ କିଛି ଯୁବକଙ୍କୁ ‘କକ୍ରୋଚ୍’ ବା ‘ଅସରପା’ ସହିତ ତୁଳନା କରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଥିଲା। ପ୍ରଧାନ ବିଚାରପତି ଏବେ ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସିଜେଆଇଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ କିଛି ଗଣମାଧ୍ୟମର ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରିଛନ୍ତି। ସେ ଦେଶର ଯୁବପିଢ଼ିଙ୍କୁ ସମାଲୋଚନା କରି ନଥିଲେ। ସିଜେଆଇ ଶୁକ୍ରବାର ଏକ ମାମଲାର ଶୁଣାଣି ସମୟରେ କିଛି ବେରୋଜଗାର ଯୁବକଙ୍କ ତୁଳନା ‘ଅସରପା’ ସହିତ କରିଥିଲେ। ସେ କହିଥିଲେ, ଏମାନେ ଆଗକୁ ଯାଇ ମିଡିଆ, ସୋସିଆଲ ମିଡିଆ ଓ ଆରଟିଆଇ କର୍ମୀ ହୋଇଯାଇଥାନ୍ତି। ଏହାପରେ ବ୍ୟବସ୍ଥା ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥାନ୍ତି। ସିଜେଆଇଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ପରେ ସେ କହିଛନ୍ତି ମୁଁ କେବଳ ନକଲି ଡିଗ୍ରୀ ମାଧ୍ୟମରେ ଆଇନ ବୃତ୍ତିରେ ପ୍ରବେଶ କରିଥିବା ଲୋକଙ୍କୁ ସମାଲୋଚନା କରୁଥିଲି। ଏପରି ବ୍ୟକ୍ତିମାନେ ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ସମ୍ମାନଜନକ ବୃତ୍ତିରେ ମଧ୍ୟ ପ୍ରବେଶ କରିଛନ୍ତି ଏବଂ ତେଣୁ ସେମାନେ ପରଜୀବୀ ପରି। ମୁଁ ଦେଶର ଯୁବପିଢ଼ିଙ୍କୁ ସମାଲୋଚନା କରିଛି ବୋଲି ଦାବି କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ।

ସିଜେଆଇ କହିଛନ୍ତି, ସେ ଦେଶର ଯୁବପୀଢିଙ୍କୁ ନେଇ ଗର୍ବିତ। ତାଙ୍କୁ ଏକ ବିକଶିତ ଭାରତର ସ୍ତମ୍ଭ ଭାବରେ ଦେଖନ୍ତି। ସେ କହିଛିନ୍ତି, ମୋତେ ନା କେବଳ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ଭଳ ଉପରେ ଗର୍ବ ରହିଛି, ବଂର ପ୍ରତି ଯୁବପୀଢି ମୋତେ ପ୍ରେରଣା ଦିଅନ୍ତି। ଯୁବକଙ୍କ ପ୍ରତି ମୋ ମନରେ ବହୁତ ଆଦର ଓ ସମ୍ମାନ ରହିଛି। ମୁଁ ବି ତାଙ୍କୁ ଏକ ବକଶିତ ଭାରତର ସ୍ତମ୍ଭ ଭାବରେ ଦେଖୁଛି।’ ଉଲ୍ଲେଖନୀୟ ଯେ, ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେବେ ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଓକିଲଙ୍କୁ ବରିଷ୍ଠ ଓକିଲ ମାନ୍ୟତା ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ସମୟରେ ବିବାଦ ଆରମ୍ଭ ହୋଇଥିଲା। ଶୁଣାଣି ସମୟରେ, କୋର୍ଟ ଆବେଦନକାରୀ ଓକିଲଙ୍କୁ ଭର୍ତ୍ସନା କରି କହିଥିଲେ ବରିଷ୍ଠ ଓକିଲ ମାନ୍ୟତା ପାଇବା ପାଇଁ ସେ ଅତ୍ୟଧିକ ପ୍ରୟାସ କରୁଛନ୍ତି। କୋର୍ଟ ତାଙ୍କ ସୋସିଆଲ ମିଡିଆ ଆଚରଣ ଏବଂ ଫେସବୁକରେ ବ୍ୟବହାର କରୁଥିବା ଭାଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଖଣ୍ଡପୀଠ କହିଥିଲେ, 'ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ବରିଷ୍ଠ ଓକିଲ ହେବାକୁ ଯୋଗ୍ୟ ହୋଇପାରନ୍ତି, କିନ୍ତୁ ଅତି କମରେ ଆପଣ ଏଥିପାଇଁ ହକଦାର ନୁହଁନ୍ତି। ସିଜେଆଇ କହିଥିଲେ, ଯଦି ଦିଲ୍ଲୀ ହାଇକୋର୍ଟ ଏପରି ବ୍ୟକ୍ତିଙ୍କୁ ବରିଷ୍ଠ ଓକିଲ ମାନ୍ୟତା ପ୍ରଦାନ କରନ୍ତି, ତେବେ ସୁପ୍ରିମକୋର୍ଟ ତାଙ୍କ ବୃତ୍ତିଗତ ଆଚରଣକୁ ବିଚାର କରି ସେହି ନିଷ୍ପତ୍ତିକୁ ଖାରଜ କରିପାରିବେ। ଏହି ସମୟରେ ସେ କହିଥିଲେ, 'ସମାଜରେ ପୂର୍ବରୁ ଏପରି ପରଜୀବୀ ଅଛନ୍ତି ଯେଉଁମାନେ ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି ଏବଂ ଆପଣ ମଧ୍ୟ ସେମାନଙ୍କ ସହିତ ଯୋଗ ଦେବାକୁ ଚାହାଁନ୍ତି ? କିଛି ଯୁବକ 'ଅସରପା' ଭଳି ହୋଇଥାନ୍ତି, ଯାହାଙ୍କୁ ରୋଜଗାର ମିଳେନି ସେମାନେ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ କିମ୍ବା ସୂଚନା ଅଧିକାର କର୍ମୀ ହୋଇ ବ୍ୟବସ୍ଥା ଉପରେ ଆକ୍ରମଣ କରିବା ଆରମ୍ଭ କରନ୍ତି।

ଏହି ବୟାନ ବିବାଦ ସୃଷ୍ଟି କରିଥିଲା, ସୋସିଆଲ ମିଡିଆରେ ପ୍ରବଳ ବିତର୍କ ଆରମ୍ଭ କରିଥିଲା। ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଓକିଲଙ୍କ ଡିଗ୍ରୀର ସତ୍ୟତା ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ସିଜେଆଇ କହିଥିଲେ ଯେ କୋର୍ଟ ଅନେକ ଓକିଲଙ୍କ ଡିଗ୍ରୀର ସିବିଆଇ ତଦନ୍ତ କରାଇବାକୁ ବିଚାର କରୁଛନ୍ତି, କାରଣ ସେମାନଙ୍କ ମଧ୍ୟରୁ କିଛି ଓକିଲଙ୍କ ଡିଗ୍ରୀର ସତ୍ୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ କାରଣ ତାଙ୍କୁ ଭୋଟ୍ ଆବଶ୍ୟକ। ଶେଷରେ, ଆବେଦନକାରୀ ଓକିଲ କୋର୍ଟଙ୍କୁ କ୍ଷମା ମାଗିଲେ ଏବଂ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ମାଗିଲେ, ଯାହାକୁ ସୁପ୍ରିମକୋର୍ଟ ମଞ୍ଜୁର କଲେ।

ଆହୁରି ପଢନ୍ତୁ : ନେଦରଲ୍ୟାଣ୍ଡରୁ ସାରା ଦୁନିଆକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା : କହିଲେ ଶୀଘ୍ର ଯୁଦ୍ଧ ନସରିଲେ ହେବ ବିପର୍ଯ୍ୟୟ, ବଢିବ ଦାରିଦ୍ର୍ୟତା