ଭୁବନେଶ୍ବର,୧୩।୮ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର  କିରାଣି ଓ ପିଅନ। ଜଣେ ନବ ନିଯୁକ୍ତ ଡାକ୍ତରଙ୍କ ଠାରୁ  ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେମାନେ ଧରାପଡିଛନ୍ତି। ଭିଜିଲାନ୍ସରେ ଧରାପଡ଼ିଥିବା କର୍ମଚାରୀମାନେ ହେଲେ କିରାଣି ଜଗଦୀଶ ପଟ୍ଟନାୟକ ଓ  ପିଅନ ନିରଞ୍ଜନ ନାୟକ।

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସେମାନଙ୍କର ମନପସନ୍ଦ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ସିଡିଏମ୍‌ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ଟଙ୍କା ମାଗିଥିଲେ। ଏନେଇ ନବନିଯୁକ୍ତ ଡାକ୍ତର ଭିଜିଲାନ୍ସ ରେ ଜଣାଇଥିଲେ।  ଯୋଜନା ମୁତାବକ ଜଗଦୀଶ ଓ ନିରଞ୍ଜନ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ   ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ସେମାନଙ୍କ ନିକଟରୁ ଭିଜିଲାନ୍ସ  ଟିମ୍ ୨୫ ହଜାର ଟଙ୍କା ଜବତ କରିଥିଲା। ।  ଜଗଦୀଶଙ୍କ ଅଫିସ ଡ୍ର ରୁ ୫ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛି। ଜଗଦୀଶ ରହୁଥିବା ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ପିଅନ ନିରଞ୍ଜନଙ୍କ ଘର ଗୋଶାଣି ବ୍ଲକରେ ମଣ୍ଡଳଦେବୀ ଗ୍ରାମ ସ୍ଥିତ ବାସଭବନରେ ବି ଭିଜିଲାନ୍ସର‌ ଚଢଉ ଜାରି ରହିଛି ।