ନୂଆଦିଲ୍ଲି,୧୯।୪: ୱାକଫ ସଂଶୋଧନ ଆଇନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ସାତ ଦିନ ମଧ୍ୟରେ ଜବାବ ମାଗିଛନ୍ତି। ଏହି ସମୟରେ, ଝାଡ଼ଖଣ୍ଡର ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଛନ୍ତି ବଡ଼ ବୟାନ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ ଯଦି ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ, ତେବେ ସଂସଦ ଭବନକୁ ବନ୍ଦ କରିଦେବା ଦରକାର।
क़ानून यदि सुप्रीम कोर्ट ही बनाएगा तो संसद भवन बंद कर देना चाहिये
— Dr Nishikant Dubey (@nishikant_dubey) April 19, 2025
ନିଶିକାନ୍ତ ଦୁବେଙ୍କ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନକର ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରନ ରିଜିଜୁ ନିଜ ନିଜର ପ୍ରତିକ୍ରିୟା ଦେଇସାରିଛନ୍ତି। ରିଜିଜୁ କହିଥିଲେ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ପରସ୍ପରର ସମ୍ମାନ କରିବା ଦରକାର। ସରକାର ନ୍ୟାୟପାଳିକା ଉପରେ ହସ୍ତକ୍ଷେପ କରିବା ଉଚିତ ଦୁହେଁ। ତେଣୁ ଭରସା ରହିଛି ସୁପ୍ରିମକୋର୍ଟ ମଧ୍ୟ କାର୍ଯ୍ୟପାଳିକା ଉପରେ ହସ୍ତକ୍ଷେପ କରିବେନି।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ। ବ୍ୟାବସ୍ଥାପିକା ଓ କାର୍ଯ୍ୟପାଳିକାର ଅଧିକାର ଉପରେ ନ୍ୟାୟୟପାଳିକା ହସ୍ତକ୍ଷେପ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଭାରତର ରାଷ୍ଟ୍ରପତିଙ୍କ ପଦବୀ ବହୁତ ଉଚ୍ଚ। ସମ୍ବିଧାନ ଅନୁଯାୟୀ ଆପଣଙ୍କର ଏକମାତ୍ର କ୍ଷମତା ହେଉଛି ଧାରା ୧୪୫(୩) ଅନୁଯାୟୀ ସମ୍ବିଧାନର ବ୍ୟାଖ୍ୟା କରିବା। ସେଠାରେ ୫ ବିଚାରପତି କିମ୍ବା ତାଙ୍କଠାରୁ ଅଧିକ ରହିବା ଦରକାର। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ମିସାଇଲ୍ ପାଲଟି ଯାଇଛି। ତାମିଲନାଡୁର ବିଧାନସଭାରେ ପାସ୍ ହୋଇଥିବା ୧୦ଟି ବିଲ୍ କୁ ରାଜ୍ୟପାଳ ବହୁ ଦିନ ଧରି ପକାଇ ରଖିଥିବାରୁ ନିକଟରେ ବର୍ଷିଥିଲେ ସୁପ୍ରିମକୋର୍ଟ। ପାର୍ଲାମେଣ୍ଟ ଓ ବିଧାନସଭାରୁ ପାସ୍ ହେଉଥିବା ବିଲ୍ ଉପରେ ରାଷ୍ଟ୍ରପତି ଓ ରାଜ୍ୟପାଳ ନିର୍ଦ୍ଦିଷ୍ଟ ସମୟ ଭିତରେ ଅନୁମୋଦନ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ରାଜ୍ୟସଭାର ଷଷ୍ଠ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କୁ ଗୁରୁବାର ସମ୍ଭୋଧନ କରିବା ଅବସରରେ ଏଭଳି କହି ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଥିଲେ ଉପରାଷ୍ଟ୍ରପତି ।