ଭୁବନେଶ୍ୱର,୧/୭ :  ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନୈନା ଦାଶ ତିୱାରୀଙ୍କ ଦ୍ୱାରା ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଆଫା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟି ଅଙ୍ଗଦାନର ବିଷୟବସ୍ତୁ ଉପରେ ଆଧାରିତ। ମାନବିକତାକୁ ପ୍ରେରଣା ଦେବା ଏବଂ ଯୁବସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଚଳଚ୍ଚିତ୍ରର କାହାଣୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଚଳଚ୍ଚିତ୍ରରେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଏକ ୧୬ବର୍ଷର ଝିଅ ନିଜ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିଛି । ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅସୀମ ସାହସର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ଏକ ସାମାଜିକ ଆଦର୍ଶ ସୃଷ୍ଟି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।