ଭୁବନେଶ୍ୱର, ୧।୪: ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବ୍ୟାପୀ ଓଡ଼ିଆ ଅସ୍ମିତାର ମହୋତ୍ସବ ‘ଓଡ଼ିଆ ପକ୍ଷ–୨୦୨୬’ର ଶୁଭାରମ୍ଭ ହୋଇଛି । ଏହି ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୧୪ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ପକ୍ଷ ପାଳନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ସ୍ୱାଭିମାନର ମୁହୂର୍ତ୍ତ ।
ଏହା ବି ପଢ଼ନ୍ତୁ... ସୋଆ-ସେରେଣ୍ଡିପିଟି ସ୍ପେସ୍ ପ୍ରାଇଭେଟ ଲିମିଟେଡ୍ ଏମ୍ଓୟୁ, ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ
୧୪ ଦିନିଆ ସାଂସ୍କୃତିକ ଅଭିଯାନ:
ଏହି ୧୪ ଦିନ ମଧ୍ୟରେ ବିଭିନ୍ନ ଉତ୍ସବ ମାଧ୍ୟମରେ ଓଡ଼ିଆ ଜୀବନଶୈଳୀକୁ ପ୍ରଦର୍ଶିତ କରାଯିବ
ଆମ ପୋଷାକ, ଆମ ପରିଚୟ: ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ ପାଇଁ ସଚେତନତା ।
ଓଡ଼ିଆ ନାମଫଳକ ଅଭିଯାନ: ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହନ ।
ଐତିହ୍ୟ ଗଣଦୌଡ଼ ଓ ସ୍ୱଚ୍ଛତା ସେବା: ମନ୍ଦିର ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଗଣମାଧ୍ୟମ ଓ ସାଧାରଣ ଜନତାଙ୍କ ଅଂଶଗ୍ରହଣ ।
ଆମ ରୁଚି, ଆମ ଖାଦ୍ୟ: ଓଡ଼ିଆ ବ୍ୟଞ୍ଜନ ଓ ପାରମ୍ପରିକ ଖାଦ୍ୟର ପ୍ରଚାର ।
ଆଜିଠାରୁ ଆରମ୍ଭ ହେଉଛି ଆମ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ–୨୦୨୬’। ଏହାର ପ୍ରଥମ ଦିବସ ‘ଓଡ଼ିଶା ଦିବସ’ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଯାତ୍ରା ଆମ ଭାଷା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବାର ଏକ ଅନନ୍ୟ ସଂକଳ୍ପ। ଏହି ସାଂସ୍କୃତିକ ମହୋତ୍ସବ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ସ୍ୱାଭିମାନର… pic.twitter.com/FhZGf4RY1r
— CMO Odisha (@CMO_Odisha) April 1, 2026
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ:
"ଓଡ଼ିଆ ପକ୍ଷ ହେଉଛି ଆମ ପରମ୍ପରାର ଗୌରବକୁ ଆହୁରି ବ୍ୟାପକ କରିବାର ଏକ ଅନନ୍ୟ ସଂକଳ୍ପ । ଆସନ୍ତୁ, ଆମେ ସମସ୍ତେ ଏହି ମହା-ଅଭିଯାନରେ ସାମିଲ ହୋଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ନିଜକୁ ଉତ୍ସର୍ଗ କରିବା ।" ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସ୍ଥାନରେ ସାହିତ୍ୟ ଆସର, ଲୋକକଳା ପ୍ରଦର୍ଶନୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି । ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ଅବସରରେ ଏହି ମହୋତ୍ସବର ମହାସମାରୋହରେ ଉଦ୍ଯାପିତ ହେବ ।