ଭୁବନେଶ୍ୱର,୦୧।୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଷ୍ଟାର୍ଟଅପ୍ ସେରେଣ୍ଡିପିଟି ପ୍ରାଇଭେଟ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଷ୍ଟାର୍ଟଅପ୍ ଅନ୍ତରୀକ୍ଷ ସକ୍ଷମ ପ୍ରଯୁକ୍ତି ଏବଂ ପ୍ଲାଟଫର୍ମ ଉନ୍ନୟନରେ ନିୟୋଜିତ । ଔଷଧୀୟ ସ୍ପଟିକୀକରଣ ପାଇଁ ମୋଡ୍ୟୁଲ୍, କ୍ଲାଇନୋଷ୍ଟାଟ ଆଧାରିତ ମାଇକ୍ରୋଗ୍ରାଭିଟି ସିମ୍ୟୁଲେସନ୍ ଏବଂ ଅନ୍ତରୀକ୍ଷରେ କକ୍ଷପଥୀୟ ସ୍ପଟିକୀକରଣ ମିଶନ୍ ଏହାର ଅନ୍ତର୍ଭୁକ୍ତ । ଗତ ଦୁଇ ଦଶନ୍ଧି ଧରି ନାସା ଦ୍ୱାରା ଶୂନ୍ୟ ଗୁରୁତ୍ୱାକର୍ଷଣରେ ସ୍ପଟିକୀକରଣ କାର୍ଯ୍ୟ ବ୍ୟାପକ ଅଗ୍ରଗତି କରିଛି ।

ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସ୍ଏସ୍)ର ମାଇକ୍ରୋଗ୍ରାଭିଟି ପରିବେଶରେ ସ୍ପଟିକ ବଢ଼ାଇବା କାର୍ଯ୍ୟ ହେଉଛି । ଏହାଦ୍ୱାରା ପୃଥିବୀ ପୃଷ୍ଠ ତୁଳନାରେ ଅଧିକ ଉତ୍ତମ ଗୁଣମାନର, ଅଧିକ ବଡ଼ ଏବଂ ଅଧିକ ସମ୍ପୂର୍ଣ୍ଣ ଭାବରେ ଗଠନ ଥିବା ସ୍ପଟିକ ପ୍ରସ୍ତୁତ କରିବା ସମ୍ଭବ ହେଉଛି । ଡିବିଟି-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ ଇନ୍କ୍ୟୁବେଟରରେ ଅବସ୍ଥିତ ସେରେଣ୍ଡିପିଟି ସ୍ପେସ ପ୍ରାଇଭେଟ ଲିମିଟେଡ୍ ଶୂନ୍ୟ ଗୁରୁତ୍ୱାକର୍ଷଣ (ଜିରୋ ଗ୍ରାଭିଟି) ପରିବେଶରେ ଅନ୍ତରୀକ୍ଷରେ ନୂତନ ସ୍ପଟିକ ବିକାଶ କରିବାକୁ ସକ୍ଷମ ହୋଇପାରିଛି । ଅପରପକ୍ଷେ, ସୋଆ ବିଶ୍ୱବିଦ୍ୟାଳୟ କ୍ଷୁଦ୍ର ଅଣୁ ସ୍ପଟିକୀକରଣ ପ୍ରଯୁକ୍ତିରେ ଗବେଷଣା ସାମର୍ଥ୍ୟ, ପ୍ରୟୋଗଶାଳା ଓ ଦକ୍ଷତା ସ୍ଥାପନ କରିଛି ।

ଦୁଇ ପକ୍ଷ ପ୍ରୟୋଗଶାଳା, ସିମ୍ୟୁଲଟେଡ୍ ମାଇକ୍ରୋଗ୍ରାଭିଟି ଓ ଅନ୍ତରୀକ୍ଷ ଯାତ୍ରା ପରିବେଶରେ କ୍ଷୁଦ୍ର ଅଣୁଗୁଡ଼ିକୁ ନେଇ ସ୍ପଟିକୀକରଣ ପରୀକ୍ଷାରେ ସହଯୋଗ କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି ବୋଲି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ପ୍ରଫେସର ଭାରତ ଭୂଷଣ ସୁବୁଦ୍ଧି କହିଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସେରେଣ୍ଡିପିଟି ସ୍ପେସ୍ ପ୍ରାଇଭେଟ ଲିମିଟେଡ୍ର ସିଇଓ ଅନ୍ତରୀକ୍ଷ ପରିଚ୍ଛା ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଶ୍ରୀ ପରିଚ୍ଛା କହିଛନ୍ତି ପୃଥିବୀ ପୃଷ୍ଠରେ କରାଯାଉଥିବା ପ୍ରକ୍ରିୟା ତୁଳନାରେ ଏହା ଅଧିକ ସୁସଂଗଠିତ ପ୍ରୋଟିନ୍ ସ୍ପଟିକ ଓ ମଲିକ୍ୟୁଲାର ଷ୍ଟ୍ରକ୍ଚର ଉନ୍ନତମାନର ଔଷଧ ଫର୍ମୁଲେସନ୍, ନୂତନ ଔଷଧ ପ୍ରଦାନ ବ୍ୟବସ୍ଥା ଏବଂ କ୍ୟାନ୍ସର ଭଳି ରୋଗ ଚିକିତ୍ସା ପାଇଁ ସହାୟତା କରିବ ।

ଆହୁରି ପଢନ୍ତୁ-ସାପ କାମୁଡ଼ା ହେଉ ବା ଝାଡ଼ାବାନ୍ତି... ଡାକ୍ତରଙ୍କ ଅପେକ୍ଷା ଗୁଣିଗାରେଡ଼ିରେ ଲୋକଙ୍କ ବିଶ୍ଵାସ, ଗୁଣିଆ ପାଖକୁ ଯାଉଛନ୍ତି ବେଶୀ

ମାଇକ୍ରୋଗ୍ରାଭିଟି ପରିବେଶ ଅଧିକ ସ୍ଥିର ସ୍ପଟିକୀୟ ଔଷଧ ବିକାଶରେ ସହାୟତା କରିଥାଏ । ଏହା ଫଳରେ ରେଫ୍ରିଜେରେସନ୍ ବିନା ଦୀର୍ଘକାଳୀନ ସଂରକ୍ଷଣ ସହଜ ହୋଇଥାଏ । ବୁଝାମଣାପତ୍ର ସ୍ୱାକ୍ଷର ହେବା ସମୟରେ ଏସ୍ପିଏସ୍ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ସୋଆ ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।