ଚନ୍ଦ୍ରଶେଖରପୁର,୧୦/୦୬: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭିଡ଼ରୁ ମିଳିବ ମୁକ୍ତି । ଭିଡ଼ ପାର୍ ହେବାକୁ ଦୀର୍ଘ ସମୟ ଯାଏ ଅପେକ୍ଷା କରିବାକୁ ପଡ଼ିବନି । ମାତ୍ର ୧୫ ମିନିଟ୍ ରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ । ପୁଣି ବିନା କୌଣସି ଟ୍ରାଫିକରେ । ବହୁ ପ୍ରତୀକ୍ଷିତ ଏହି ସମାନ୍ତରାଳ ରାସ୍ତାର ସିଂହଭାଗ କାମ ସରିଛି । ଏକାମ୍ରକାନନରୁ ଓଇଆରସି ଯାଏ ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏକାମ୍ରକାନନ ପାର୍କ ସାମ୍ନାରୁ ହାତୀଆଶୁଣୀ ଯାଏଁ ଦୁଇ ପାଶ୍ୱର୍ ମୁଖ୍ୟ ରାସ୍ତାରେ ପିଚୁ କାମ ସହ ସର୍ଭିସ ରାସ୍ତା, ଡ୍ରେନ୍ ଓ ଡିଭାଇଡର କାମ ସରିଛି । ମେଡିଆନ ଓ ସର୍ଭିସ ରାସ୍ତାରେ ନୂଆ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ବର୍ତ୍ତମାନ ଡିଭାଇଡର ମଝିରେ ଫୁଲ ଗଛ ଲଗାଯାଉଛି । ରାସ୍ତାର ଉଭୟ ପାଶ୍ୱର୍ କଡରେ ରଙ୍ଗ ଦିଆଚାଲିଛି । ଉଦ୍ଘାଟନକୁ ମାତ୍ର ଆଉ ୩ ଦିନ ବାକି ଥିବାରୁ ପୂର୍ତ୍ତ ବିଭାଗ ବାକି ଛୋଟ ମୋଟ କାମ ଶେଷ କରିବାକୁ ଦିନ ରାତି ଏକ କରି ଦେଇଛି । ଗୋଲେଇ ଛକ ଜଳ ଫୁଆରା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଗୋଲେଇ ଚାରିପଟେ ପିଚୁ ସରିଥିବା ବେଳେ ମଝିରେ ବଡ ହାଇମାଷ୍ଟ ଲାଇଟ୍ ଲଗାଯାଇଛି । ଆଉ ଦିନେ ଭିତରେ ବାକି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଉଦ୍‌ଘାଟନ ହେବା ପରେ ଗାଡି ଚାଳକ ସିଆରପି ଛକରୁ ବାହାରି ଏକାମ୍ର କାନନ, ହାତିଆଶୁଣୀ ହୋଇ ଜାଭିୟର ଛକ,ନାଲକୋ ଛକ,ନୀଳଦ୍ରି ବିହାର,ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାର ଓ ଇନଫୋସିଟି ସାଇ ମନ୍ଦିର ରାସ୍ତା ପାଶ୍ୱ ର୍ରେ ବାହାରିପାରିବେ । ସେପଟୁ ସମାନ ଦିଗରେ ଏକାମ୍ର କାନନ ଛକ ହୋଇ ଲୋକେ ସିଆରପି, ଜୟଦେବ ବିହାର, ନୂଆପଲ୍ଲୀକୁ ଲୋକେ ଯାଇପାରିବେ । ଅନ୍ୟପଟେ ଚୁନୁକୋଳି ଗାଁରେ ବସ୍ତି ଉଚ୍ଛେଦ ଶେଷ ହୋଇଛି ।

ଅଧିକ ପଢ଼ନ୍ତୁ : -  Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ଡିସ୍ଚାର୍ଜ ପିଟିସନ୍ର ଶୁଣାଣି

ଖୁବ୍ ଶୀଘ୍ର ଏଠାରେ ବାକି ରହିଥିବା ରାସ୍ତା କାମ ଆରମ୍ଭ ହେବ । ୨୦୧୬ରେ ଏକାମ୍ରକାନନ ଆଇଏମ୍ଏ ୨୦୦ ଫୁଟିଆ ରାସ୍ତାର ପରିକଳ୍ପନା କରାଯାଇଥିଲା । ହାତିଆଶୁଣୀଠୁ ଓଇଆରସି ଯାଏଁ କାମ ଶେଷ ହୋଇଥିଲା । ସେପଟେ ପଥରଗାଡିଆଠୁ ଆଇଏମଏ ଯାଏଁ କାମ ସରିଥିଲା । ମାତ୍ର ସାଲିଆ ସାହି ଓ ଚୁନୁକୋଳି ଗାଁରେ ବସ୍ତି ଉଚ୍ଛେଦ ହୋଇପାରୁନଥିବାରୁ କାମ ଅଟକିଥିଲା । ନଭେମ୍ବରରେ ସାଲିଆ ସାହି ଉଚ୍ଛେଦ ପରେ କାମ ଆଗକୁ ବଢିଥିଲା ।