ଭୁବନେଶ୍ୱର,୬।୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଓଡ଼ିଶାକୁ ବୃହତ ଶିଳ୍ପ ପ୍ରଗତି ଏବଂ ଆର୍ଥିକ ଅଭିବୃଦ୍ଧି ଆଡକୁ ଆଗେଇ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଓଡିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବେ। ସେଠାରେ  ବିଭିନ୍ନ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିବେ। ଓଡ଼ିଶାର ନିବେଶ ପାଇଁ  ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାର ଏବଂ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିବେ।

 ସେଠାରେ ସେ ରାଜ୍ୟ ସରକାରଙ୍କ ତରଫରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌), ପେଟ୍ରୋନେଟ ଏଲ୍‌ଏନ୍‌ଏଜି ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ସମେତ ପ୍ରମୁଖ ଉଦ୍ୟୋଗ ସହିତ ଏମଓୟୁ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି।

ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରିବା, ଗୁରୁତ୍ୱପୂର୍ଣ୍ଣ ନିବେଶ ଆକର୍ଷିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ସାମଗ୍ରିକ ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବା ଏହି ଏମଓୟୁର ଲକ୍ଷ୍ୟ । ଏଥିସହ ମୁଖ୍ୟମନ୍ତ୍ରୀ ନୋଏଡାର ଏଚ୍‌ସିଏଲ୍‌ ଟେକ୍ କ୍ୟାମ୍ପସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।