ଭୁବନେଶ୍ୱର, ୨୫।୧: ସ୍କୁଲ ପିଲାଙ୍କ ଗହଣରେ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହର ମାଝୀ । ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ଆଜି ଥିଲା ୧୩୦ ତମ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଶୁଣିବା ସହିତ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ  । ଏଥିସହିତ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ଆଲୋକପାତ କରି ପିଲାମାନେ ସବୁବେଳେ ନବସୃଜନ ଉପରେ  ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଲେ ।

ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଥିବା ତାଙ୍କର ପ୍ରତ୍ୟେକ ପ୍ରେରଣାଦାୟୀ ବିଚାର ସମ୍ପର୍କରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଆଜି ଥିଲା ଜାତୀୟ ମତଦାତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ଭୋଟରମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକୃତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହିତ ଇଣ୍ଡଷ୍ଟ୍ରି ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ କ୍ୱାଲିଟିକୁ ସର୍ବାଗ୍ରେ ରଖିବା, ସ୍ୱଚ୍ଛତା ଓ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ବୃଦ୍ଧି ଭଳି ଅନେକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଫଳତା ଓ ନବସୃଜନ ଉପରେ ଗୁରୁତ୍ୱ ଦେଇ ଦେଶବାସୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି । ଭୁବନେଶ୍ୱରରେ ଏକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ... ​​​​​​​ମରଣଜନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ, ମରାମତି ନାମରେ ମନମାନି କରୁଛି ଠିକାସଂସ୍ଥା