ଛତ୍ରପୁର, ୫/୬: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତରେ ସେ ରମ୍ଭାରେ ଉନ୍ମୋଚନ କରିଛନ୍ତି ୪୧ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ରମ୍ଭା ହାଇସ୍କୁଲ ପଡ଼ିଆରେ ଅବତରଣ କରିବା ପରେ ଶୋଭାଯାତ୍ରାରେ ରମ୍ଭା ବାଳକ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସଂଗ୍ରାମୀ ସ୍ମାରକୀ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ହୋଇଥିବା ୪୧ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ଏହିପରି ଏକ ମହତ୍ କାର୍ଯ୍ୟକୁ ଐତିହ୍ୟ ସହର ରମ୍ଭାରେ କରାଯାଇଥିବାରୁ ଅଞ୍ଚଳବାସୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ୧୯୦୩ରେ ରମ୍ଭାରେ ପ୍ରଥମ ସମ୍ମିଳନୀ ହୋଇଥିଲା। ସମ୍ମିଳନୀରେ ୬୧ଜଣ ଯୋଗ ଦେଇଥିଲେ। ସେହି ମହାପୁରୁଷମାନଙ୍କୁ ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୧ ଜଣଙ୍କ ଫଟୋ ମିଳିଥିଲା। ସେହି ଫଟୋକୁ ଆଧାର କରି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ଆଉ ୨୧ଜଣଙ୍କ ନାମ ଲେଖାଯାଇଛି। ପ୍ରତିମୂର୍ତ୍ତି ଓ ନାମଫଳକ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସଂଗ୍ରାମୀ ସ୍ମାରକୀ ସ୍ମୃତି କମିଟିରୁ ମହାରାଜ ଶଙ୍କରାନନ୍ଦ ଗିରି, ସୁବାସ ଚନ୍ଦ୍ର ପଣ୍ଡା, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ରମ୍ଭା ଏନଏସି ଅଧ୍ୟକ୍ଷ ମାନସ ସ୍ୱାଇଁଙ୍କ ସହ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ ହୋଇଛି।ରମ୍ଭାରୁ ମୁଖ୍ୟମନ୍ତ୍ରୀ ଛତ୍ରପୁର ଅଭିମୁଖେ ଯାଇଥିବା ବେଳେ ଛତ୍ରପୁରରେ ୮ଟି ଶିଳ୍ପର ଶିଳାନ୍ୟାସ ଓ ଶିଳ୍ପପତିଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି।