ନୂଆଦିଲ୍ଲୀ, ୪/୯ : GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସମିଟ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି। ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବଢ଼ିବ। ସେମାନେ ଉଚିତ ମୂଲ୍ୟ ପାଇବେ। ଏହା ଦ୍ବାରା ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳିମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥାମାନଙ୍କ ପାଖରୁ ସଠିକ ସମୟରେ ସଠିକ ମୂଲ୍ୟ ପାଇ ପାରିବେ।
ଓଡିଶା ଏକ କୃଷିପ୍ରଧାନ ରାଜ୍ୟ। ବିଭିନ୍ନ କୃଷି ପ୍ରକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, ରୋଲର୍, ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଅମଳ କାମରେ ଲାଗୁଥିବା ଯନ୍ତ୍ର, ଟାୟାର୍ ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ କରାଯାଇଛି। ଏହା ଚାଷୀଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥିବା ଖର୍ଚ୍ଚକୁ କମାଇବ। ଏହା ଗ୍ରାମୀଣ ଲୋକଙ୍କ ଆୟ ବଢାଇବ ଓ ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ। ପାନ ମସଲା, ବିଡି, ଓ ତମାଖୁଜାତ ଦ୍ରବ୍ୟକୁ ଛାଡି ଅନ୍ୟ ସବୁ ଦ୍ରବ୍ୟ ଉପରୁ କ୍ଷତିପୂରଣ ସେସ୍କୁ ୨୦୨୫ ସେପ୍ଟେମ୍ବର ୨୨ ତାରିଖରୁ ଉଠାଇ ଦିଆଯାଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସେହିପରି କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ। GSTରେ ସଂସ୍କାର ଦ୍ୱାରା ଏକ ମୁକ୍ତ ଏବଂ ସ୍ବଚ୍ଛ ଅର୍ଥନୀତି ସୃଷ୍ଟି କରିବ। ଅନୁପାଳନ ବୋଝ ହ୍ରାସ କରିବ। ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ। ଜିଏସ୍ଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ।
ଏହା ବ୍ୟତୀତ ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରେ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ସହାୟକ ହେବ। ଦ୍ରବ୍ୟ ଓ ସେବାକର ହାରରେ ପରିବର୍ତ୍ତନ କରାଯାଇ ୧୨ ଓ ୨୮ ପ୍ରତିଶତ କର ହାରକୁ ଉଚ୍ଛେଦ କରାଯାଇ ଅଧିକାଂଶ ଦ୍ରବ୍ୟ ଓ ସେବା ଉପରେ ୫ ଓ ୧୮ ପ୍ରତିଶତ ହାରରେ କର ଆଦାୟ କରିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଦୁଗ୍ଧ-ଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନ୍ୟ ପ୍ରାୟ ୧୫୦ରୁ ଅଧିକ ସାମଗ୍ରୀ ଯଥା ୨୫୦୦ ଟଙ୍କାରୁ କମ୍ ମୂଲ୍ୟର ବସ୍ତ୍ର ସାମଗ୍ରୀ ଓ ଜୋତା, ସଂରକ୍ଷିତ କରାଯାଇଥିବା ମାଛ/ ମାଂସ/ ଚିଙ୍ଗୁଡି/ କଙ୍କଡା/ ଛତୁ/ଜାମ/ ଜେଲୀ/ ଫଳରସ, ପ୍ୟାକ ହୋଇଥିବା ନମକିନ୍/ଭୁଜିଆ /ମିକ୍ସଚର/ ସୋୟା ବଡି /ବିରି ଓ ମୁଗ ବଡି, ମଧୁମେହ ରୋଗୀଙ୍କ ଖାଦ୍ୟ, ଗାଲିଚା, ଥର୍ମୋମିଟର, ଜୋମେଟ୍ରି ବକ୍ସ, ଟୁଥ୍ ପେଷ୍ଟ, ଟିଭି, ଛତା, ବାସନ କୁସନ, ସିଲାଇ ମେସିନ, ସାଇକେଲ୍, ପାନିଆ, ମୁଣ୍ଡ କଣ୍ଟା, ସାମ୍ପୂ, କେଶ ତୈଳ, ସେଭିଂ କ୍ରିମ ଉପରୁ କର ହ୍ରାସ ହୋଇଛି। ପ୍ୟାକ ହୋଇଥିବା ଛେନା ବା ପନିର, ପେନସିଲ୍, ଇରେଜର, ମ୍ୟାପ୍, ଅଟଲାସ୍କୁ କର ମୁକ୍ତ କରାଯିବ। ବ୍ୟାପକ କର ହାର ସଂଶୋଧନର ଏକ ଅଂଶ ଭାବରେ ୧୫୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଦୁଇ ସ୍ଲାବ୍ ଟିକସ ଢାଞ୍ଚା ଉପରେ ଜିଏସଟି ପରିଷଦ ବିଚାର ବିମର୍ଶ କରି ନିଷ୍ପତ୍ତି ନେଇଛି।
ଲୋକପ୍ରିୟ ତଥା ପ୍ୟାକ ହୋଇଥିବା ଜଳଖିଆ ସାମଗ୍ରୀ ଏବଂ ମିଠ ମିଠା ସାମଗ୍ରୀ ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ସିମେଣ୍ଟ ଉପରେ ଜିଏସଟି ହାର ୨୮%ରୁ ୧୮%କୁ ହ୍ରାସ କରାଯାଇଛି। ନିର୍ମାଣ ଶିଳ୍ପ ଓ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ। start-up ବ୍ୟବସାୟୀମାନଙ୍କ ନିମନ୍ତେ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ କରିବା ପାଇଁ ନିଷ୍ପତି ନିଆଯାଇଛି। ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରି ଆବେଦନକାରୀଙ୍କୁ ଆବେଦନର ତିନି ଦିନ ମଧ୍ୟରେ ସ୍ଵତଃ ପଞ୍ଜିକରଣ ପ୍ରଦାନ କରାଯିବ । ଯେଉଁ ଆବେଦନକାରୀଙ୍କର ଆକଳନ ଅନୁସାରେ ସେମାନଙ୍କର ମାସିକ କାରବାରରେ ସମୂହ ଟିକସର ପରିମାଣ ଅନ୍ୟ ବ୍ୟବସାୟୀ ସଂସ୍ଥାମାନଙ୍କୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ନଥିବ, ସେମାନଙ୍କୁ ଏକ ବିକଳ୍ପ ସରଳ ପଞ୍ଜିକରଣ ବ୍ୟବସ୍ଥାରେ ସାମିଲ କରାଯିବ ଓ ତିନି ଦିନ ମଧ୍ୟରେ ସ୍ବତଃ ପଞ୍ଜିକରଣ ପ୍ରଦାନ କରାଯିବ। ଛୋଟ କାର, ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ଉପରେ ଟିକସ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ଯୋଗୁଁ ନିମ୍ନ ମଧ୍ୟବିତ୍ତ ବର୍ଗ ଲୋକ ଏଥିରୁ ଅଧିକ ଉପକୃତ ହେବେ । ଏକ ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡ଼ିଶାବାସୀ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି ବୋଲି ମୁଖୀମନ୍ତ୍ରୀ କହିଛନ୍ତି।