ଭୁବନେଶ୍ୱର,୨୮/୧୧: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ସକାଳୁ ଦିଲ୍ଳୀ ଫେରିଯାଇଛନ୍ତି। ଭୁବନେଶ୍ବର କମିଶେନରରେଟ୍ ପୁଲିସ ପକ୍ଷରୁ କଡା ସୁରକ୍ଷାରେ ରାଜଭବନରୁ ବାହାରିଥିଲେ ରାଷ୍ଟ୍ରପତି । ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ରାଜ୍ୟପାଳ ହରିବାବୁ କମ୍ବମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକବର୍ଦ୍ଧନ ସିଂହ ଦେଓ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ଦେଇଥିଲେ ।ରାଷ୍ଟ୍ରପତି ବିମାନବନ୍ଦର ଯିବାବେଳେ ରାଜଭବନ ଛକରୁ ଏୟାରପୋର୍ଟ ଛକ ଯାଏଁ ୨୩ ପ୍ଳାଟୁନ ଫୋର୍ସ ନିଯୋଜିତ କରାଯାଇଥିଲା ।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟା କରି ଲେଖିଛନ୍ତି ଯେ, ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ; ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି , ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ବିଦାୟ ଜଣାଇଲି। ଓଡ଼ିଶା ବିଧାନସଭାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କର ଐତିହାସିକ ସମ୍ବୋଧନ ଆମ ରାଜ୍ୟର ଗଣତାନ୍ତ୍ରିକ ଯାତ୍ରା ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା। ତାଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ ଆମ ସରକାର ଏବଂ ରାଜ୍ୟର ସମସ୍ତ ନାଗରିକଙ୍କୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଧିକ ପ୍ରେରଣା ଓ ଶକ୍ତି ଦେଇଛି। ଓଡ଼ିଶା ମାଟିର ଏହି ସୁକନ୍ୟାଙ୍କୁ ତାଙ୍କର ସଫଳ ଓ ମାର୍ଗଦର୍ଶକ ଗସ୍ତ ପାଇଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି ବୋଲି ଲେଖିଛନ୍ତି।