ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଏହି ଜନ ସମାବେଶରେ "କମଳ ଫୁଟାଇବାକୁ" ନିବେଦନ କରିଛନ୍ତି ଏବଂ ବିରୋଧୀ ଦଳ ଗୁଡ଼ିକ, ବିଶେଷକରି ଆରଜେଡି ଏବଂ କଂଗ୍ରେସ ଉପରେ କଠୋର ଆକ୍ରମଣ କରିଛନ୍ତି।

ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଚନ୍ତି ଯେ, ଯେଉଁମାନେ ପଶୁ ଚାରା ଖାଆନ୍ତି ସେମାନେ ମଣିଷର ଅଧିକାର ମଧ୍ୟ ହଡ଼ପ କରନ୍ତି। ସେ ଆରଜେଡିର ୧୫ ବର୍ଷର ଶାସନକୁ ସମାଲୋଚନା କରି ଏହି ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରକୁ ପୁଣି ଏପରି ଅନ୍ଧକାର ସମୟ ଅନୁଭବ କରିବା ଉଚିତ୍ ନୁହେଁ, ଯେତେବେଳେ କି ଦୁର୍ନୀତି, ଗୁଣ୍ଡାଗିରି ଏବଂ ପ୍ରବାସ ବ୍ୟାପକ ଥିଲା। ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ "ସବକା ସାଥ, ସବକା ବିକାଶ" ମନ୍ତ୍ର ଗ୍ରହଣ କରିଛି ଏବଂ ବିହାର ମଧ୍ୟ ବିକାଶର ଏକ ନୂତନ ପଥରେ ଆଗେଇ ଚାଲିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହୁରି କହିଛନ୍ତି ଯେ, ଆଜି ବିହାରରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ଏବେ, ବିହାରର ଇଞ୍ଜିନିୟର ଏବଂ ଯୁବକମାନେ ଦେଶର ବିକାଶରେ ଯୋଗଦାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳରେ,୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ପ୍ରତ୍ୟେକ ଗରିବ ବ୍ୟକ୍ତି, ଚାଷୀ, ମା, ଭଉଣୀ ଏବଂ ଯୁବକ ଏହି ଯୋଜନା ଗୁଡ଼ିକରୁ ଉପକୃତ ହେଉଛନ୍ତି।

ବିହାରର ଯୁବକ ମାନଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଏଠାକାର ଯୁବକ ମାନେ ଈଶ୍ୱର-ପ୍ରଦତ୍ତ ବୁଦ୍ଧିମତ୍ତା ପ୍ରାପ୍ତ କରିଛନ୍ତି। ସେମାନଙ୍କୁ କେବଳ ସଠିକ୍ ମଞ୍ଚ ଆବଶ୍ୟକ। ଯେଉଁଦିନ ବିହାରର ଯୁବକ ମାନେ ନିଷ୍ପତ୍ତି ନିଅନ୍ତି, ସେମାନେ ନିଜର ପ୍ରତିଭା ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ବିହାରର ଐତିହାସିକ ଏବଂ ସାଂସ୍କୃତିକ ଐତିହ୍ୟକୁ ଉଲ୍ଲେଖ କରି ସେ କହିଛନ୍ତି ଯେ,ଏହି ଭୂମି ସର୍ବଦା ଦେଶକୁ ମାର୍ଗଦର୍ଶନ କରିଆସିଛି।

ଯୋଗୀ କହିଥିଲେ ଯେ ଆରଜେଡି ଏବଂ କଂଗ୍ରେସ ଶାସନ ସମୟରେ ବିହାରର ପରିଚୟ ସଙ୍କଟରେ ଥିଲା। ସେହି ସମୟରେ ପ୍ରବାସ, ଅପରାଧ ଏବଂ ଅସୁରକ୍ଷା ଶୀର୍ଷରେ ଥିଲା। ସେ କହିଥିଲେ ଯେ ଝିଅ ଏବଂ ଭଉଣୀ ମାନଙ୍କର ସୁରକ୍ଷା ଈଶ୍ୱରଙ୍କ ଉପରେ ଛାଡି ଦିଆଯାଇଥିଲା, ଚାଷୀମାନେ ଆତ୍ମହତ୍ୟା କରୁଥିଲେ ଏବଂ ବ୍ୟବସାୟୀ ମାନେ ଭୟରେ ରହୁଥିଲେ।